ଭିଡରେ ଲାଗଇ ଏକା - ହୃଷୀକେଶ ମିଶ୍ର

0
ମଳୟ ମଲ୍ହାର ମଉଳି ଯାଇଛି
ଫଗୁଣ ଲାଗଇ ଫିକା
ଚଇତି ଘୋଡା ଯେ ନାଚୁନାହିଁ ଆଜି
ଭିଡରେ ଲାଗଇ ଏକା।

ଶରତ ଆକାଶେ ଶାରଦିଅ ଶଶୀ
ଲାଗେ ନାହିଁ ଆଜି ନୂଆ
ଏ ମେଳା ପରବ କିସ ଯେ ହୋଇବ
ତୁମେ ନ ଆସିଲେ ପ୍ରିୟା।

କାନ୍ଦେ ସେହି ଦୋଳି ନ ଶୁଭେ କାକଳି
ଶୁଭୁନି ପଞ୍ଚମ ସୁର
ମୋ ମନ ମାନସୀ ମୋ ସଂଗେ ନ ଆସି
ଭାଙ୍ଗିଲ ଯେ ମନ ମୋର।

ଆଶା ଅସୁମାରୀ ଅନ୍ତ ରେ ପ୍ରସାରି
ତୁମରି ପୀରତି ପାଇଁ,
ଖୋଜି ବୁଲୁଅଛି ଗହନ ବନରେ
ଭ୍ରମର ପରାଏ ହୋଇ।

ଫୁଲର ଗହଣେ ମୋ ଗୋଲାପ ସତେ
ଆଜି କିଆଁ ଦିଶୁ ନାହିଁ,
ଅନେଇ ବସିଛି ଦୂର ଦିଗବଳୟେ
ଆସିବା ବାଟକୁ ଚାହିଁ।

ତୁମେ ଯେ ଆସିବ ମୋ ମନ ମୋହିବ
ମନ ମୋ ଏ କଥା କୁହେ,
କାହିଁ କି କେଜାଣି ହୃଦ କନ୍ଦରେ ମୋ
ବଇଶାଖ ଝାଂଜି ବହେ।

ଚାତକ ସମ ମୁଁ ଅନାଇ ରହିଛି
ସାଜିଣ ଏଠି ଜଳକା
ତୁମ ବିନା ସଖି ପାରେନା ଯେ ଦେଖି
ଭିଡରେ ଲାଗଇ ଏକା
ଭିଡରେ ଲାଗଇ ଏକା।

Post a Comment

0Comments
Post a Comment (0)