କୋଇଲି କିଆଁ ଆଜି ଏତେ ଲୋ ଚହଳ
କୋଣ ଅନୁକୋଣେ ଉଡେ ତ୍ରିରଙ୍ଗା ଚିରାଳ (ଲୋ କୋଇଲି)
ଖଞ୍ଜନପକ୍ଷୀ ପରାୟ ହୋଇ
ଖଚମିଛ କଥାରେ ପେଟ କି ପୂରଇ (ଲୋ କୋଇଲି)
ଗଉନ୍ତିଆ ଜନଙ୍କ ଭାଷଣ
ଗଗନମଣ୍ଡଳୁ ସତେ ଖସିବ ତାରା ଜହ୍ନ (ଲୋ କୋଇଲି)
ଘଡିକ ପାଇଁ ଲୋ ଘଟାଟୋପ
ଘୁଞ୍ଚିବ କିଭଳି ଦେଶୁ ଦୁଃଖ ପରିତାପ (ଲୋ କୋଇଲି)
ଚକ୍ରାବନ୍ତ ଜନେ କରି ନାଟ
ଚକାସିତ ବଚନେ ଚଢାଅନ୍ତି ଖଟ (ଲୋ କୋଇଲି)
ଛଦ୍ମବେଶେ ଏକାଙ୍ଗ ଚକ୍ରବର୍ତ୍ତୀ
ଛନ୍ଦସ୍ୟ କାମ୍ୟରେ କରି ନାନା ଛନ୍ଦବୃତ୍ତି (ଲୋ କୋଇଲି)
ଜିଗୀଷା ଲାଳସେ ଉବୁଡୁବୁ
ଜିତକାଶୀ ପଣେ କରିଥାନ୍ତି କାବୁ (ଲୋ କୋଇଲି)
ଝଟାପଟା ଏ ଝର୍ଝର ଯୁଗରେ
ଝଙ୍କାଝଙ୍କି ହେଉଥାନ୍ତି ପଦବୀ ଆଶାରେ (ଲୋ କୋଇଲି)
ଉଷାରାଣୀ ପଣ୍ଡା
ସୋମପେଟା, ଆନ୍ଧ୍ରପ୍ରଦେଶ
