ତୁମପାଇଁ (ଭାଗ-୩) - ରାଜେଶ ପୂଜାରୀ

0
କେବେ ବସନ୍ତରେ ସବୁ ତ ନୂତନ
କେବେ ଦେହ ମନ ଜଳେ,
କେବେ ସବୁ କିଛି ହାହାକାର ମରୁ
ମନ ଭୋଳେ କୌତୁହଳେ ‌।

କେବେ ମନେହୁଏ ନିଦାଘର ତାତି
ଶୀତଳ କୋମଳ ଅତି,
ତାହା କେବେ ପୁଣି ଅଶେଷ ପୀଡ଼କ
କଟେନାହିଁ ଦିନରାତି ।

କେବେ ଏ ବରଷା ସାକ୍ଷୀ ସାଜେ ମୋର
କେବେ କରେ ଉପହାସ,
ଛାତିକୁ ଭିଜାଇ ଆଖିକୁ ଓହ୍ଲାଇ
ହସେ ମନଖୋଲା ହସ ।

ଶୁଭେ କେବେ କେବେ ସଜ ଶରତରେ
ବୀଣା ମିଳନ କୁଞ୍ଜର ,
ପୁଣି କେବେ ତାହା ବିରହର ଚିଠି
ଆହତ କେନ୍ଦରା ସୁର ।

ହେମନ୍ତ ପ୍ରସଟେ ଅତିନ୍ଦ୍ରୀୟ ଶୋଭା
ମୋ ମନ ନନ୍ଦନ ବନେ,
କେବେ କେବେ ଲାଗେ ବିରସ ବିରସ
ମ୍ରୃଦୁ ସମୀର ଚୁମ୍ବନେ ।

କେବେ କେବେ ଶୀତ ଗାଏ ପ୍ରୀତି ଗୀତ
ମନକୁ ବିହ୍ବଳ କରେ,
କେବେ ଗ୍ରୀଷ୍ମ ପରି ଝାଳୁଆ ଝାଳୁଆ
ଅପ୍ରଫୁଲେ ଏକାନ୍ତରେ ‌।

ତୁମେ ପାଖେ ଥିଲେ ଜୀବନ ଅମୃତ
ନଥିଲେ ପୁରା ଜହର,
ଯେତେ ଯାହା ହୁଏ ସବୁ ତୁମପାଇଁ
କୁହ କି'କିମିଆଁ କର !


କୁଶମେଲ, ଝାରସୁଗୁଡ଼ା
ମୋ- 9777280594

Post a Comment

0Comments
Post a Comment (0)