ମୋ ଅପା - ଧୃବ ଚରଣ ବେହେରା

0
ଭାଇ ଭଉଣୀର ପବିତ୍ର ସଂପର୍କ
ଖୋଜିଲେ ମିଳିବ ନାହିଁ
ଭଉଣୀର ବାଣୀ ସେନହ ଝରଣା
ମଧୁରତା ପରସଇ ।।
ଆଦର ତା ଅଟେ ହିମାଳୟ ସମ
ଆଦର୍ଶ ତା ମହାନତା
ନିତି ଭାବୁଥାଏ ମୋର ଲାଗି ସୁଖ
ଏହି ତା ପ୍ରେମ ବାରତା ।।
ରହି ବହୁଦୂରେ ସଂଦେଶ ପଠାନ୍ତି
କେମିତି ଅଛୁ ମୋ ଭାଇ
ଯେଉଁଠି ଥିଲେ ବି ଭଲରେ ରୁହନ୍ତୁ
ଏହି ସୁଖ ମନାସଇ ।।
ଦିନେ ହୁଡେ ନାହିଁ ନିତି ଖୋଜେ ମନେ
ମିଳଇ ସମୟ ଯେବେ
କେବେ ଆସିବୁ ମୋ ଘରକୁ କହରେ
ଦେଖିବି ମୁଁ ତୋତେ କେବେ ।।
ଠାକୁରଙ୍କ ପାଖେ ଘିଅ ଦୀପ ଜାଳି
ଦୀର୍ଘାୟୁ ମୋ ମାଗୁଥାଇ
ମୋର ଅପା ପରି ଏହି ଜଗତରେ
ଶୁଭାଙ୍କାଖୀ ନାହିଁ କେହି ।।
ମୋର ଲାଗି ସିଏ ସତେ ଅଟେ ଦେବୀ
ପାଖେ ପାଖେ ଅଛି ରହି
କାଶ୍ମୀର ଘାଟିରେ ଅଛି ବୋଲି ମୁହିଁ
ନୀଦ ତାକୁ ଆସେ ନାହିଁ ।।
କରୁଣା ଆଶିଷ ନିତି ଢାଳି ଦିଏ
ଅମୃତ ଭରା ତା କଥା
ନ ଲାଗେ ଅଚିହ୍ନା ସବୁ ବେଳେ ଚିହ୍ନା
ଅତି ସରଳ ନମ୍ରତା ।।
ତୁମ ପରି ମୋତେ ଭଉଣୀ ଟେ ମିଳୁ
ସବୁ ଯୁଗ ପାଇଁ ବାର୍ତ୍ତା
ତଅପୋଇ ତୁମେ ଅବା ଲକ୍ଷେ ହୀରା
ପ୍ରଶ୍ନ ମୁଁ ନିଜର କଥା ।।
ଆମରି ସଂମ୍ପର୍କେ ରହିଥାଉ ସଦା
ନ ଆସୁ କବେବି ଝଡ
ମୋ ଦିଦି ମୋ ପାଇଁ ବିଶାଳ ପ୍ରାଚୀର
ଭାଙ୍ଗିବନି ଏହି ବାଡ ।।
ହେ ଜଗତ ନାଥ କରନ୍ତୁ କରୁଣା
ଏହି ଆମ ସେତୁବନ୍ଧ
ଅପା ଲାଗି ମୁହିଁ ହୀନିମାନ ଭାଇ
ହୋଇ ପାରିବି କି ? କାନ୍ଧ ।।
ଟିକି ଭାଇ ହାତେ ରାଖି ଦେବୁ ବାନ୍ଧି
ଏହି ଛୋଟ ଅଳି ମୋର
ଅତି ଆପଣାର ଭଉଣୀ ମୋହର
କରିବୁନି କେବେ ପର ।।


ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment

0Comments
Post a Comment (0)