ଝୁମି ଝୁମି ଆସେ ବରଷା ରାଣୀ
କଳା ବାଦଲର ଓଢ଼ଣା ଟାଣି
ଆଦ୍ୟ ଆଷାଢ଼ର ଅତିଥି
ମା' ମାଟି ତପ ଉତ୍ତପ୍ତେ ଅଧୀରା
ଢ଼ାଳି ଜଳଧାରା ଦେବ ଶାନ୍ତି ।
ବିଜୁଳି ରୋଷଣୀ ଆକାଶୁଁ ଘେନି
ଘଡଘଡି ବାଣେ କମ୍ପେ ମେଦିନୀ
ମେଘକୁ କରି ସେ ପଟୁଆର
ପାଛୋଟିବା ପାଇଁ ପୁଚ୍ଛକୁ ବିସ୍ତାରି
ନୃତ୍ଯେ ଗୀତେ ଶିଖୀ ଆଗଭର ।
ପ୍ରାଚୀ ଦିଗେ ପୂଣ୍ୟ ପ୍ରଭାତ କାଳେ
ଅଭ୍ର ଫାଙ୍କେ ସୂର୍ଯ୍ୟ କିରଣ ଢାଳେ
ନବବଧୂ ପରି କଣେଇ ଚାହେଁ
ରଶ୍ମି ରେଖା ର ସୁନେଲି ଚିତ୍ର ରେ
କବି ମନ ପ୍ରାଣ ଚହଲି ଯାଏ ।
ଚମ୍ପା କନିଅର ଟଗର ମଲ୍ଲୀ
ଯୁଇଯାଇ ହେନା କୁସୁମ ବଲ୍ଲି
ବରଷାରାଣୀକୁ କରେ ସ୍ୱ।ଗତ
ମୈ।ସୁମୀ ଭଉଣୀ ସାଥେ ନାଚି ଆସି
ଅଜାଡ଼ିବ ସୁଧାଜଳ ବହୁତ ।
ନବ ଉନ୍ମାଦନେ କୃଷକ ଭାଇ
କୃଷି କର୍ମେ ତାର ଯାଏ ଆଗେଇ
ମନମତାଣିଆ ସଙ୍ଗୀତ ତାନେ
ଉପୁଜାଏ ନାନା ଜାତିର ଫସଲ
ଜୀବନ ସଞ୍ଚାରେ ବିଶ୍ଵ କଲ୍ୟାଣେ ।
ଝୁଲି ଝୁଲି ଆସେ କଳା ବାମନ
ଗହଳି ଲଗାଇ ଭକତଗଣ
ଆଷାଢ଼ ଦ୍ଵିତୀୟା ଶିରୀକ୍ଷେତର
କରୁଣାର ବାରି ଢ଼ାଳି ଦେବ ସିଏ
ଦର୍ଶନେ ପାତକ ହୋଇବ ଦୂର ।
ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର- ୯୪୩୭୬୬୪୫୩୭,
ପିନ୍ କୋଡ- ୭୫୯୧୨୭
