ଧନ୍ୟବାଦ ମୌସୁମୀ - ରମେଶ ଚନ୍ଦ୍ର ମିଶ୍ର

0
ମଉସୁମୀ ତୁମେ ଆସିଗଲ ବୋଲି
ପୁଲକିତ ଧୁଳି ଧରଣୀର ବକ୍ଷେ
ଖୁସିର ରୋଷଣୀ ଜଳେ,
ଜୀବ, ତରୁ, ଲତା ସବୁରି ଅନ୍ତରେ
ଗ୍ରୀଷ୍ମ ତାପିତ ପ୍ରାଣରେ ପ୍ରାଣରେ
ସପନ ଭଉଁରୀ ଖେଳେ । ୧

ଫୁଲେଇ ତଟିନୀ ନୂପୁର ଛନ୍ଦେ
ଫୁଲି ଫୁଲି ଗୀତ ରାଗିଣୀ କଣ୍ଠେ
ସାଗର କୋଳକୁ ଧାଏଁ
ଆଗାମୀ ଦିନର ସୁଖ ସପନରେ
କାଳିଆ କଷରା ବଳଦକୁ ଯୋଚି
ଚଷା ଭାଇ ଗୀତ ଗାଏ । ୨

ଧରଣୀ ଖୁସିରେ ଆକାଶ ବିଭୋର
ନୀଳ ମେଘମାଳା ପଟୁଆର କରି
ରୋଷଣୀରେ ମତୁଆଲା
ଶ୍ୟାମ ଦୂର୍ବାଦଳ ହରିତ ବାସରେ
ନିଜକୁ ସଜେଇ ସୁନ୍ଦର ସାଜରେ
ନଭ ଚିତ୍ତ ମୋହିନେଲା । ୩

ଜଙ୍ଗଲେ ମୟୁର ବିଲରେ ମଣ୍ଡୁକ
ଝିଙ୍କାରୀର ଝିଁ` ଝିଁ` ଶବଦରେ
ଆନନ୍ଦ ଉଚ୍ଛୁଳି ଯାଏ
ଗାଁ ଦାଣ୍ଡେ ଟିକି ଶିଶୁମାନଙ୍କର
ପାଣି ସୁଅ ଧାରେ କାଗଜ ଡଙ୍ଗା
ହଲି ହଲି ଭାସୁଥାଏ । ୪

ଟଗର, ତରାଟ, ରଜନୀଗନ୍ଧା
ମାଳତୀ, ମନ୍ଦାର ଫୁଲେ ସଜ ହୋଇ
ବନ ଉପବନ ତୋରା
ବାଦଲେ ସୂରୁଯ ମୁହଁ ଲୁଚାଉଛି
ଇନ୍ଦ୍ରଧନୁର ସପତ ରଙ୍ଗେ
(କେବେ କେବେ) ଚମକିଉଠେ ଏ ଧରା । ୫

ମଉସୁମୀ ତୁମେ ଧନ୍ୟ କରିଛ
ପରଶି ତୁମର ଅମୃତ ବିନ୍ଦୁ
ମାଆ ମନ ଆମୋଦିତ
ଜୀବ ଜଗତର ଆନନ୍ଦେ ପରମ
ନିଶ୍ଚିନ୍ତ ହୋଇ ଆରମ୍ଭ କରିଛି
ନୀଳାଚଳେ ଘୋଷଯାତ । ୬

ଧନ୍ୟ ତୁମେ ଗୋ ମଉସୁମୀ ଧନ୍ୟ !
ଧରଣୀ ରାଣୀର ଯୋଗ୍ୟା ଦୁହିତା
ମାଆ ଦୁଃଖ ଅନୁସରି
ଅମୃତ ଧାରା ବରଷି ମହୀରେ
ଆମନ୍ତ୍ରି ଆଣିଛ ଆନନ୍ଦର ଫଲ୍ଗୁ
ଫେରାଇଛ ସୁଖ ଶିରି । ୭


ତାପସ କୁଟୀର,
ବଇଣ୍ଡା, ଅନୁଗୋଳ ।

Post a Comment

0Comments
Post a Comment (0)