ସେ' ଏମିତି ଫୁଲଟିଏ
ମଉଲେନି କେବେ ଯିଏ
ଅହରହ ବାସୁଥାଏ।
ସେ' ଗୋଟିଏ ପକ୍ଷୀ
ଡେଣା ଝାଡ଼େ ଯିଏ ନିରଳସେ
ନୂଆଁ ନୂଆଁ
ବନ୍ଧୁ ଖୋଜି ଖୋଜି
ଏକ ଭିନ୍ନାକାଶେ।
ସେ' ଗୋଟିଏ ଦୀପ
ପ୍ରୀତିର ପ୍ରତୀକ
ଶାନ୍ତିର ସନ୍ତକ।
ସେ' ଗୋଟେ ଗୀତ
ଯେତେ ଡାକ ଲାଗେ ହିତ
ଖରା ବର୍ଷା ଶୀତ
ଏକାକୀର ମିତ।
ସେ' ଗୋଟିଏ ମହିମ୍ନ ସମୟ
ଯାହା ପାଖରେ ସମୟ ନାହିଁ
ନହେଲେ ବଦଲେଇ ଦିଅନ୍ତା ସମୟକୁ,
ସଦା ଯିଏ ମଧୁମୟ
ଛୁଟାଏ ପ୍ରେମରୟ।
କେବେ ରାଧା
କେବେ ମୀରା
ପୁଣି ହସର କଦମ୍ବ
ଲୁହର ଯମୁନା
ପ୍ରୀତି ବ୍ରଜଭୂମି
ମହନୀକୁଞ୍ଜର
ଅଦୃଶ୍ୟ ଠିକଣା
ଜାଣି କି' ଅଜଣା
ନଜାଣି କି' ଜଣା!
ବାସ୍..
ଆଉ ବେଶି କିଛି
କହି ପାରିବିନି ତା' ବାବଦରେ
ହେଲେ ନିଜକୁ ତା' ବିନା
କରିପାରେନି କଳ୍ପନା।
କୁଶମେଲ, ଝାରସୁଗୁଡ଼ା
