ବଡ଼ଦାଣ୍ଡ ସିଂହଦୁଆର ଆଗରେ ତାଳଧ୍ବଜ,ଦେବଦଳନ
ନନ୍ଦିଘୋଷ ରଥ ସୁସଜ୍ଜିତ ହୋଇ ବିବିଧ ସୁମନେ ମଣ୍ଡନ
ଦେଖ ଦେଖ ଠିଆ ହେଇଛି
ବିଶ୍ବ ପ୍ରସିଦ୍ଧ ଏ ରଥଯାତ୍ରା ପାଇଁ ଯୋଗାଡ଼,ଜନ୍ତର ଚାଲିଛି
ଆସିବେ ବସିବେ ସେ ରଥରେ ଦିଅଁ
ପୁଜା, ମନ୍ତ୍ର, ବିଧି ଚାଲିଛି ।।
ତାଳଧ୍ଵଜ ରଥ ରଥି ବଳଦେବ,ଦେବଦଳନେ ସୁଭଦ୍ରା
ନନ୍ଦିଘୋଷ ରଥେ କାଳିଆ ବାମନ ସଙ୍ଗେ ଘେନି ସର୍ବ ଦେବତା
କମ୍ବୁକଟକ ର ରାଜା
ପହଣ୍ଡି ହେଇସେ ଆସିବେ ରେ ଆଜି ବାଜଇ ବିଜୟ ବାଜା
ନୀଳ ପରବତ କନ୍ଦର ସୁନ୍ଦର
ରୂପ ରେ ହୋଇଛି ସଜ୍ଜା ।।
ହେଇ ଦେଖାଗଲା ସୁନ୍ଦର ଟାହିଆ ମସ୍ତକ ମଣ୍ଡନ କରିଛି
ପାବଛ୍ ପାବଛ୍ ଡେଇଁ ଡେଇଁ ଆସେ ଘଡ଼ିଏ ପହରେ ରହୁଛି
ସେହି ମୋ କଳା ବାମନ
ରଥେ ବିଜେକରି ସାରା ଜଗତକୁ କରିଦେବେ ପରା ପାବନ
ଦେଖି ଦେଇ ମନ ପ୍ରାଣ ନାଚି ଉଠେ
ସେହି ମୋ ଜଗତ ଜୀବନ ।।
କର ଦରଶନ ଆରେ ପାପ ପ୍ରାଣ ଜନମ ଜନମ ମୁକତି
ଲଭିବୁ ନିଶ୍ଚୟ ଆରେ ପାପି ମନ ଲଭିବୁ ରେ ପରାଂଗତି
ତା ଦାସାନୁ ଦାସ ଏହି
ଅଧମ ପ୍ରଫୁଲ୍ଲ ଅରତେ ଡାକଇ ମହାଦୁଃଖେ ପଡ଼ିଥାଇ
ଆସ ରଥେବସ ହେ ପୁରୁଷୋତ୍ତମ
ଉଦ୍ଧାର ହେ ଭାବଗ୍ରାହୀ ।।
ରଥଯାତ୍ରା ସ୍ଵାଗତ ବନ୍ଦନା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
July 14, 2018
0
