ସାର୍ଥକ ହୋଇବ ଜନ୍ମ ମୋର - ଘନଶ୍ୟାମ ସାହୁ

0
ମୋତେ କରିଦେ କରିଦେ ଖଣ୍ଡେ ପଥର
କଳା ଠାକୁର ମୋ କଳା ଠାକୁର ।।୦।
ମରାମତି ବେଳେ ବାଇଶି ପାହାଚ
ତୋ ସେବାରେ ଦିନେ ଲାଗିଯିବି
ଭକତ ଚରଣ ପଡ଼ିବ ଉପରେ
ଏ ଜୀବନ ଧନ୍ୟ ମୁଁ କରିବି
ଚାଲୁଥିବେ କେତେ ଗଡୁଥିବେ କେତେ
ତୁଣ୍ଡେ ଘୋଷୁଥିବେ ନାମ ତୋର ।।୧।
କରୁଥିବେ ଶ୍ରାଦ୍ଧ ମୋ ଉପରେ ବସି
ବେଦମନ୍ତ୍ର ପଢି ପୁରୋହିତ
ପିଣ୍ଡ ବାଢୁଥିବେ ହୋମ କରୁଥିବେ
କାୟ ମନୋବାକ୍ଯ ଥିବ ଚିତ୍ତ
ପବିତ୍ର ହୋଇବ ପାପ କ୍ଷୟ ହେବ
ସଦଗତି ପ୍ରାପ୍ତି ହେବ ମୋର ।।୨।
ରଥ ବାହୁଡ଼ାରେ ପାଟଡୋର ବାନ୍ଧି
ଝୁଲି ଝୁଲି କେବେ ରହିଯିବୁ
ପାଇ ତୋ ପରଶ ତୁଟିବ ପରାଶ
ମୋ ଉପରେ ଟିକେ ଥକ୍କା ନେବୁ
ଅତି ଭାଗ୍ୟବାନ ମଣିବି ନିଜକୁ
ସାର୍ଥକ ହୋଇବ ଜନ୍ମ ମୋର ।।୩।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର- ୯୪୩୭୬୬୪୫୩୭
ପିନ୍ କୋଡ- ୭୫୯୧୨୬

Post a Comment

0Comments
Post a Comment (0)