ଶେଷ ବରଷାର ତରଳ ସ୍ବାକ୍ଷର
ସଖି ତୁମ ଅଶ୍ରୁଧାରା,
ଦେଖିଦିଏ ଯେବେ ଲାଗେ ମତେ ତେବେ
ବିବଶ ସଂସାର ସାରା ।
ହେମନ୍ତ ଲଗନେ ବେପରୁଆ ବାଆ
ତମ ମିଛ ରାଗ ରୋଷ,
ତୁମରି ପରିକା ମୁଁ ବି ରୁଷେ ମିଛେ
ନଆସ ଯେବେ ଗୋ ପାଶ ।
ଶରତ କାଳୀନ ଶୁଭ୍ର କାଶତଣ୍ଡି
ତୁମ ହସ ହୀରା ମୋତି,
ଜୀବନ ଜୈତ୍ରଭୂମି ହୁଏ ତ ତ୍ରାହି
ହୃଦୟ ମୋହକ ଅତି ।
ଶୀତ ସକାଳର ଶୀତଳ କାକର
ସଖି ତୁମ ମୃଦୁ ସ୍ପର୍ଶ,
ଯେତେ ଯାହା ଗ୍ଲାନି ହରିଣ କ୍ଷଣିକେ
ସୃଜେ ଅସରନ୍ତି ହର୍ଷ ।
ପହିଲା ବସନ୍ତ ମନଲୋଭା ଦୃଶ୍ୟ
ପ୍ରିୟେ ତୁମ ସଜବାଜ,
କରେ ନିମନ୍ତ୍ରଣ ଅଳପ ହସିଣ
ଆସି ମୋ ଭାବରେ ଭିଜ ।
ନିଦାଘ କାଳର ପ୍ରକୋପ ଦାରୁଣ
ତୁମରି ମଉନିମୁହଁ,
ଯେତେ ଯାହା ମୋର ସବୁ ତୁମପାଇଁ
ଆଉ କାହାପାଇଁ ନୁହଁ ।
କୁଶମେଲ, ଝାରସୁଗୁଡ଼ା
ମୋ-୯୭୭୭୨୮୦୫୯୪
