ଯିବୁ ତୁ ବୈକୁଣ୍ଠ ପୁର - ପ୍ରଣତୀ ମହାପାତ୍ର

0
ରୂପଟି ସୁନ୍ଦର ହୋଇଗଲେ କିବା
ସବୁଠି ପାଇବ ପୂଜା;
ଗୁଣ ଗୁଡା ଯଦି ହୁଅଇ ଅଙ୍ଗାର
କେମିତି ଉଡିବ ଧ୍ୱଜା?
ଉଚ୍ଚ ପଦପଦବୀରେ ଥିଲେ ତୁମେ
ପାଇବ କି ସୁସମ୍ମାନ;
ଚିନ୍ତାଧାରା ନିମ୍ନଗାମୀ ଯଦି ହେବ
ଉପହାର ନିନ୍ଦା ଅପମାନ।
ଅର୍ଥ, ପ୍ରତିପତ୍ତି ଅଚଳାଚଳ ସମ୍ପତ୍ତି
ଥିଲେ କି ଶ୍ରେଷ୍ଠ ମାନବ;
ବ୍ୟବହାର ଦୃଷ୍ଟି କୋଣ ନିମ୍ନ ଥିଲେ
ଗଣାହେବ ହୀନ ଜୀବ।
ଯଦି ଉପରକୁ ଉଠିବାକୁ ତୁମେ
ଚେଷ୍ଟା କର ନିଶିଦିନ,
ମଣିଷ ପଣିଆ ସହନଶୀଳତା
ନମ୍ରଗୁଣେ ରଖ ମନ।
ଗର୍ବ ,ଅହଂକାର,କୁଦୃଷ୍ଟି,କୁଗୁଣ
ଫିଙ୍ଗି ଦେଇ ନର୍ଦ୍ଦମାରେ,
ପୀତାମ୍ବର ପାଦେ ନତ କରି ଶିର
ଚାଲୁଥିବ ସୁପଥରେ।
ଆରେ ବନ୍ଧୁ.......

ଆସିଅଛୁ ଏକା ଲଙ୍ଗଳା ହୋଇତୁ
ଯିବୁ ବି ଲଙ୍ଗଳା ଏକା,
ଧନ ଐଶ୍ୱର୍ଯ୍ୟ ପଛରେ ରହିବ
ନ ହେବେ କେହି ତୋ ସଖା।
ସୁକର୍ମ, ସୁଯଶ ସାଥେ ସାଥି ହୋଇ
ଯିବୁ ରେ ବୈକୁଣ୍ଠ ପୁର,
ପରଂବ୍ରହ୍ମ ପରମାତ୍ମା ଦେହେ ଲୀନ
ସତ୍ୟ ଅଟେ ଏହି ଗୀର।


ପ୍ରଣତି ମହାପାତ୍ର
ବାଲେଶ୍ୱର

Post a Comment

0Comments
Post a Comment (0)