ରଥଯାତ୍ରା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ମେଘ ବରଷଇ ଟୁପୁରୁ ଟୁପୁର
ବହଇ ଶୀତଳ ବାଆ
ଚକ୍ ଚକ୍ ଚକ୍ ବିଜୁଳି ମାରଇ
ଶଂଖ ବଜାଏ ଶଂଖୁଆ
ଘଡଘଡି ବଜ୍ର ଗମ୍ଭିର ରଡିରେ
କମ୍ପମାନ ହୁଏ ହିଆ
ଏବେଳରେ ଜଗନ୍ନାଥ
ରଥରେ ବିଜୟ ପାଇଁକି ସ୍ବାଗତ
କରୁଛୁ ହେ ବିଶ୍ବତାତ ।।

ହରିବୋଲ ହୁଳହୁଳି ଶବଦରେ
ଉଛୁଳି ପଡେ ଗଗନ
ଟମକ,ନିଶାଣ,ମହୁରୀ ତାନରେ
ମୁଖର ପ୍ରାଣ ପବନ
ବାଶବ ଚାପରେ ଆହାକି ସୁନ୍ଦର
ଦିଶେ ସରଗ ଭୁବନ
ଏ ଶୁଭ ଲଗନେ ତୁମେ
ନୀଳାଚଳ ଛାଡି ଆସୁଅଛ ପ୍ରଭୁ
ଏଇ ମରତ ଭୁବନେ ।।

ଜାତୀ ନନ୍ଦିଘୋଷ ବଡଦାଣ୍ଡେ ଆଜି
ଗଡିବ କଳା ଠାକୁର
ତୁମେ ତାର ରଥି ତୁମେତ ସାରଥି
ଆହେ ଚକ୍ରି ଚକ୍ରଧର
ଏ ଜାତୀର ନେତା ଆହେ ବିଶ୍ବପିତା
ଆହେ ନବ ନଟବର
ଦିଅ ମାଗେ ବରାଭୟ
ପ୍ରଫୁଲ୍ଲୁ ଆତୁରେ ମିନତୀ କରୁଛି
ଶୁଭ ଦୃଷ୍ଟି ଢାଳୁଥାଅ ।।

Post a Comment

0Comments
Post a Comment (0)