ମୁଁ ଅଟେ ଭାଇ ଓଡ଼ିଆ
ଆଉ କହେ ଵି ଖଣ୍ଡି ଓଡ଼ିଆ
ମୋ ଭାଷା ପ୍ରୀତିଠୁ ବେଶୀ କାହିଁ ଲାଗେ
ବଙ୍ଗଳା ଭାଷା ବଢିଆ ।।
ମୁଁ ପରା ଖାଣ୍ଟି ଓଡ଼ିଆ
ଭିତରେ ଚନ୍ଦନ ଚୁହା
ଦୋକାନରେ ମୋର ବଙ୍ଗଳା ବ୍ୟାନର
ଲେଖେ ମୁଁ କ୍ଵଚିତ ଓଡ଼ିଆ ।।
ମୁଁ ଓଡ଼ିଆ କର୍ମବୀର
ବଙ୍ଗାଳୀଙ୍କୁ ମୋ ଆଦର
ମୋ ଭାଷା ପଛକେ ଯାଉ ହୋ ଚୁଲିକି
ସେ ପାଇଁ ନାହିଁ ଖାତିର ।।
ଓଡ଼ିଶାରେ ମୋର ଘର
ହୋଟେଲ ଅଛି ମୋହର
ବେଉସା ପାଈଁ ମୁଁ ଭାଷା ବଳୀ ଦିଏ
ମାନେନି କାହା ଅର୍ଡର ।।
ମୋ ମନ ଭାରି ବଢିଆ
ପ୍ରିୟ ମୋ ମୁଢି ନଡିଆ
"ରସଗୋଲାକୁ" ମୁଁ ବିକି ତ ସାରିଛି
ବାକି ଅଛି ଖାଲି "ଓଡ଼ିଆ" ।।
ଆସ ନିଜ ଭାଷା ଭୁଲିଯିବା
ବଙ୍ଗଭାଷାକୁ ଭଲ ପାଇବା
ଓଡ଼ିଆର ଆମେ ପରିଚୟ ଭୁଲି
ଚାଲ ବଙ୍ଗାଳୀ ହୋଇବା ।।
ଭାଷା ପୀରତି - ଦେବବ୍ରତ ଜେନା
July 30, 2018
0
