ସବୁକଥା ମାନ ଅକୁହା ରହିଲା
କହିବ କହିବ କହିଲନି
ଦୂରେଇ ଯିବାର ଏତେଦିନ ପରେ
ମନେପକାଉଛ ପୁଣି ।।
ପିଲାଦିନର ସେ ବାଲିଘର କଥା
ମିଛ ବର, କନ୍ୟା ଧୂଳି ଖେଳ
ସପନ ସମାନ ଲାଗଇ ସିନା ଗୋ
ପିଲାଦିନର ସେ ଖେଳବେଳ ।।
ଅଛି ସେଇ ଆମ୍ର କୁଞ୍ଜ କାନନ
ଆଜିବି କୋଇଲି ଗୀତ ଗାଏ
ସେଇ ନଈପଠା ସେ ଘର ଅଗଣା
ଗାଁ ଦାଣ୍ଡ ଏବେ ଝୁରି ହୁଏ ।।
ସେଦିନ ସେନେହ ସେଦିନ ସରାଗ
ମଉଳି ଯାଇଛି ଆଜି ସଖୀ
ଜୀବନର ଏଇ ସାୟାହ୍ନ ସଞ୍ଜରେ
ଭାବିଲେ ଆଉ ନପାଏ ଆଖି ।।
ଫେରିଯିବାର ସେ ବାଟ ଘାଟ ସହୀ
ସ୍ମୃତିରୁ ଯାଇଛି ସବୁ ହଜି
କେତେ ହଜାଇଛି କେତେବା ପାଇଛି
ହିସାବ ତା ରଖିନାହିଁ କିଛି ।।
ତଥାପି ଏବେବି ଉଙ୍କି ମାରେ ମନେ
ସେଇ ବିତି ଯାଇଥିବା ସ୍ମୃତି
ମନ ସିନ୍ଧୁକ ର ସୁନା ଫରୁଆ ରେ
ରଖି ଅଛି ଯାହା ମୁଁ ସାଇତି ।।
ସାଇତି ରଖିଛି ସୁନା ଫରୁଆରେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
July 30, 2018
0
