ସତେ କି ଖସିପଡିଲା ବିଜୁଳି
ଉଡିଲା କି ନୀଳପରୀ
ଫୁଟି ଉଠିଲାକି କୁମୁଦ କଳିକା
ନୀଳ ଜଳରାଶି ଚିରି ।।
ଅଳକା ପୁରୀ ର ଅଳସୀ କନ୍ୟା
ସତେକି ମଉନା ବତୀ
ରମ୍ଭା କି ଉର୍ବଶୀ ତହୁଁ ବଳି ଦିଶି
ଯାଉଥାଅ ତୁମେ ସାଥି
ମୋ ମନ କରିଲ ଚୋରି ।
ସତେକି ଖସିପଡିଲା ବିଜୁଳି ।।
ସାଗର ଲହରୀ ନୀଳ ଢେଉ ସମ
ଚୁର୍ଣ୍ଣ କୁଞ୍ଚତ କୁନ୍ତଳ
ଶଶି ମୁଖୀ ତୋର ଦୁଇ ଏଣୀ ଆଖି
ରୂପ ବଡ଼ ମନୋହର
ଆନମନା ଦିଏ କରି ।
ସତେକି ଖସି ପଡ଼ିଲା ବିଜୁଳି ।।
ଅଧରେ ମଧୁର କ୍ଷିଣ ସ୍ମିତ ରେଖା
ପ୍ରିତୀ ପାରିଜାତ ପୁଷ୍ପ
ବିଧାତା କି ସତେ ସରଜିଲା ତୋତେ
ଜାଳିବାକୁ ପ୍ରେମ ଦ୍ବୀପ
ମଧୁମୟ ତନୁ ବଲ୍ଲରୀ ।
ସତେକି ଖସି ପଡ଼ିଲା ବିଜୁଳି ।।
ପଲକ ପଡେନି ଦେଖୁଥିଲେ ତୋର
ସେ ଗଜ ଗମନୀ ଚାଲି
ନୀଳ ମେଘେ ଅବା ନାଚେ ସୈାଦାମିନୀ
ସଂଜ ଦ୍ବୀପ ଯାଏ ଜଳି
ଦେଖି ମନଯାଏ ପୁରି ।
ସତେକି ଖସି ପଡ଼ିଲା ବିଜୁଳି ।।
କୋଟିଏ ଚମ୍ପା ସଉରଭ ଛୁଟେ
ତୁମେ କି କାଞ୍ଚନ ସୁମ
ନନ୍ଦନ ବନର ଅବା ପାରିଜାତ
ଦିଶେ କୁଆଁ ତାରା ସମ
ସରଗର ଅପସରୀ ।
ସତେ କି ଖସି ପଡ଼ିଲା ବିଜୁଳି ।।
