ଏବେ ଦେଖିବା ରାଜନୈତିକ ବ୍ୟକ୍ତି ବା ରାଜନେତା । ରାଜନୀତିକୁ ସମାଜ ସେବା ଭାବରେ ଗ୍ରହଣ କରାଯାଏ । ତେଣୁ ରାଜନେତା ମାନେ ଜଣେ ଜଣେ ସମାଜ ସେବକ । ଅତୟବ ରାଜନେତା ମାନେ ପ୍ରତ୍ୟକ୍ଷ ଭାବରେ ସମାଜସେବାରେ ନିଜକୁ ଯେତେ ନିୟୋଜିତ କରିବେ, ସେମାନେ ସାଧାରଣ ଜନତାଙ୍କ ସେତେ ଅଧିକ ଆସ୍ଥାଭାଜନ ହୋଇପାରିବେ । ନିଜର ବ୍ୟକ୍ତିତ୍ୱ,କର୍ମ ଓ ଲୋକ ସମ୍ପର୍କ ହିଁ ନିଜ କ୍ୟାରିୟର୍ ର ଚାବିକାଠି । କିନ୍ତୁ ସ୍ୱେଛାସେବୀଙ୍କ ପରି ରାଜନେତା ମାନେ କ୍ଷମତା ଉପଭୋଗ କରୁଥିବା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସିନଥାନ୍ତି । ଲୋକଙ୍କର ଏମାନଙ୍କ ପ୍ରତି ଅନାସ୍ଥା ସନ୍ଦେହରେ ଏମାନେ ଏକ ସୁଦୃଢ ଦଳର ଆଶ୍ରା ଖୋଜନ୍ତି । ବର୍ତ୍ତମାନ ଏଭଳି ନେତା ମାନଙ୍କର ଯେପରି ଦଳ ବଦଳ ଚାଲିଛି, ଏଥିରେ ସାଧାରଣ ନାଗରିକ ବିସ୍ମୟାଭିଭୁତ ହୋଇପଡୁଛନ୍ତି । ଏକ ନିର୍ଦ୍ଧିଷ୍ଟ ଦଳକୁ ଶାଣିତ ଶବ୍ଦ-ଶର ରେ ଘାଇଲା କରିଥିବା ବ୍ୟକ୍ତି ହଠାତ୍ ନିଜରଆଭିମୁଖ୍ୟ ବଦଳାଇ ସେହି ଦଳର ନୀତି, ଆଦର୍ଶ ଓ ମୂଲ୍ୟବୋଧକୁ ଆଦର୍ଶ ସ୍ଥାନୀୟ ମନେକରି ତା’ର ଗୁଣଗାନ କରିବା ଏବଂ ବିପରୀତ କ୍ରମେ ଉକ୍ତ ଦଳ ମଧ୍ୟ ଏପରି ବ୍ୟକ୍ତିଙ୍କୁ ଗ୍ରହଣ କରିବା ସାଧାରଣ ଜନତାଙ୍କ ଦ୍ୱାରା କେତେଦୂର ଗ୍ରହଣୀୟ ତାହା ଏକ ପ୍ରଶ୍ନବାଚୀ । ଯେଉଁ ରାଜନେତା ମାନେ ଏକ ନିର୍ଦ୍ଧିଷ୍ଟ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ନିକଟରେ ନିଜକୁ ଉପସ୍ଥାପିତ କରିଥାନ୍ତି, ସେମାନେ ଅଚାନକ ସେଇ ଆଦର୍ଶବୋଧରେ ବିଶ୍ୱାସ ରଖୁଥିବା କର୍ମୀ ଓ ଜନତାଙ୍କ ମତାମତ ନନେଇ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ୟକ୍ତିଗତ ନିଷ୍ପତ୍ତି ପ୍ରକାରେ ଦଳ ଛାଡି ଅନ୍ୟ ଦଳରେ ଯୋଗଦାନ କରିଥାନ୍ତି । ପ୍ରକୃତରେ ଏଭଳି ରାଜନେତା ମାନଙ୍କର କୌଣସି ରାଜନୈତିକ ମୂଲ୍ୟବୋଧ ନଥାଏ ।କେବଳ କ୍ଷମତାସୀନ ହେବାର ଉଦ୍ଦ୍ୟେଶ ସାଧନ ପାଇଁ ଏକ ନିର୍ଭର ଯୋଗ୍ୟ ଦଳ ଉପରେ ଏମାନେ ଆଶ୍ରିତ ।ଏଇ ନେତାମାନେ ପୁଣି ଦାବି କରନ୍ତି ଯେ ପୂର୍ବୋକ୍ତ ଦଳୀୟ କର୍ମୀ ଓ ଜନତା ନିଜର ଅନୁଗତ ବୋଲି । ଏଇ କର୍ମୀ ଓ ଜନତାଙ୍କ ମଧ୍ୟରୁ ପ୍ରକୃତରେ କେତେ ତାଙ୍କର ବ୍ୟକ୍ତିଗତ ଅନୁଗତ ଥିବା ବେଳେ ଆଉ କିଛି କେବଳ ଦଳୀୟ ଅନୁଗତ ଥାଆନ୍ତି । ଏଇଠି ମନରେ ପ୍ରଶ୍ନ ଉଠେ ଯେ ସାଧାରଣ ଜନତା କାହା ଆଦର୍ଶରେ ଅନୁପ୍ରାଣିତ ହେବେ, ବ୍ୟକ୍ତିର ନା ଦଳର? ଦଳ ଅନ୍ତର୍ଗତ ସମସ୍ତ ନେତା ଯଦି ଦଳୀୟ ସମ୍ବିଧାନ, ନୀତି ଆଦର୍ଶ, ଶୃଙ୍ଖଳା ନିକଟରେ ନିଜର ବ୍ୟକ୍ତିଗତଆଦର୍ଶ, ଚିନ୍ତାଧାରା, ଇଛା ଅନିଛାକୁ ଜଳାଞ୍ଜଳି ଦେଇ ତାକୁ କଡା କଡି ଭାବେ ପାଳନ କରନ୍ତି, ତେବେ ଏକ ଉତ୍ତମ ଦଳର ଆଦର୍ଶରେ ଅନୁପ୍ରାଣିତ ହେବାରେ ଅସୁବିଧା ହୋଇନପାରେ । କିନ୍ତୁ ଦଳୀୟ ଖୋଳ ପରିଧାନ କରି ନେତା ଯଦି ନିଜର ବ୍ୟକ୍ତିଗତ ଆଦର୍ଶ, ଚିନ୍ତାଧାରା,ଇଛା ଅନିଛା ଦ୍ୱାରା ପରିଚାଳିତ,ତେବେ ଦଳୀୟ ଆଦର୍ଶରେ ଅନୁପ୍ରାଣିତ ନହୋଇ ନେତାଙ୍କ ବ୍ୟକ୍ତିଗତ ଆଦର୍ଶ ବା ବ୍ୟକ୍ତିତ୍ୱ ଉପରେ ଆସ୍ଥା ପ୍ରକଟ କରିବା ସର୍ବାଦୌ ଭଲ । ଏହା ଦ୍ୱାରା ପ୍ରକୃତ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ଯେ କୌଣସି ଦଳରୁ ଅଥବା ସ୍ୱାଧୀନ ଭାବେ ନିର୍ବାଚନ ଲଢିଲେ ମଧ୍ୟ ଲୋକେ ତାଙ୍କୁ ଗ୍ରହଣ କରିବା ଉଚିତ । ଏଭଳି ନେତା ସାଧାରଣତଃ ସ୍ୱାଭିମାନୀ ଏବଂ ଦଳ ବଦଳ କରିନଥାନ୍ତି । କାରଣ ଏଭଳି ନେତା ମାନେ ସାଧାରଣତଃ ନିଜର ବ୍ୟକ୍ତିତ୍ୱ ଉପରେ ଗଭୀର ଆସ୍ଥା ରଖିଥାନ୍ତି । କିନ୍ତୁ ଯେଉଁ ନେତା ମାନେ କୌଣସି ନିର୍ଦ୍ଧିଷ୍ଟ ଦଳୀୟ ଆଦର୍ଶରେ ବିଶ୍ୱାସ ରଖିନଥାନ୍ତି ଏବଂ ସେମାନଙ୍କର ନିଜ ଉପରେ ମଧ୍ୟ ଆସ୍ଥା ନଥାଏ, ସେହି ନେତାମାନେ ନିଜର ରାଜନୈତିକ ପତିଆରା ଅକ୍ଷୁର୍ଣ୍ଣ ରଖିବା ପାଇଁ ଏକ ସୁଦୃଢ ଦଳର ଆଶ୍ରା ଖୋଜନ୍ତି ତଦ୍ୱାରା ସେମାନେ ବାରମ୍ବାର ଦଳ ବଦଳ କରିଥାନ୍ତି ଏବଂ ନିଜର ବ୍ୟକ୍ତିତ୍ୱ ବଳରେ ନୁହେଁ, ଏକ ଦଳର ଆଦର୍ଶବୋଧ ଉପରେ ଜନତାଙ୍କର ଯେଉଁ ଆସ୍ଥା ଥାଏ, ସେହି ଆଧାରରେ ସେମାନେ ନିର୍ବାଚନ ବୈତରଣୀ ପାର ହୋଇଥାନ୍ତି । ଏହା ସମାଜ ପାଇଁ ହିତକର ହୋଇ ନପାରେ ।
ଗ୍ରା-ଦେଉଳ ପଲ୍ଲୀ, ପୋ- କଳମ୍ବ, ଭା- ପୋଲସରା,
ଜି- ଗଂଜାମ, ମୋ- ୯୮୬୧୭୩୨୨୫୬
