ଆଓରଙ୍ଗାବାଦ ଏଲୋରା ପର୍ବତ ପାଦଦେଶରେ ହେ ହର
ବିଜୟ କରିଛ ଶାନ୍ତ ପରିବେଶେ , ଆହେ ପ୍ରଭୁ ଗଙ୍ଗାଧର
ଜ୍ୟୋର୍ତିଲିଙ୍ଗ ଘୃଷ୍ଣେଶ୍ବର ।।
ସୁରମ୍ୟ ମନ୍ଦିର ଆହା କି ସୁନ୍ଦର ନାହିଁ ତା’ର ପଟାନ୍ତର
କଇଳାଶ ଶୋଭା ବିରାଜିଛି ଅବା ତହୁଁ ବଳି ମନୋହର
ଭକତର ଡାକ ଶୁଣି ବିଶ୍ବନାଥ , ଦୁଃଖ କରି ଥାଅ ଦୂର
ଜ୍ୟୋର୍ତିଲିଙ୍ଗ ଘୃଷ୍ଣେଶ୍ବର ।।
ସଙ୍ଗେ ଘେନି ସତୀ ଆହେ ମହାଯତି କରୁଛ ତହିଁ ବିହାର
ଶହ ଶହ ଭକ୍ତ ତୁମ ଦରଶନେ ସମ୍ମିଳିତ ନିରନ୍ତର
ଆହେ ଫଣୀଧର ବନ୍ଦେ ଶ୍ରୀପୟର କରୁଣା କର ହେ ହର
ଜ୍ୟୋର୍ତିଲିଙ୍ଗ ଘୃଷ୍ଣେଶ୍ବର ।।
ଅପୂର୍ବ ତୁମର ଦର୍ଶନ ଠାକୁର ଚଢାଇ ବେଲପତର
ଧାତୁରା ଗୟଶ ଦେଇ ହେ ମହେଶ ଜପି ମନ୍ତ୍ର ପଞ୍ଚାକ୍ଷର
ପ୍ରଫୁଲ୍ଲ କିଙ୍କର ଜଣାଉଛି ଦୁଃଖ ଭବବନ୍ଧୁ ପାରିକର
ଜ୍ୟୋର୍ତିଲିଙ୍ଗ ଘୃଷ୍ଣେଶ୍ବର ।।
ମଙ୍ଗଳାଯୋଡି, ଖୋରଧା
