ମୁଠେ ସମୟ ଆଣିଛି - ବାମନ ଚନ୍ଦ୍ର ଦୀକ୍ଷିତ

0
ତୁମ ପାଇଁ ମୁଠେ ସମୟ ଆଣିଛି
ସାଉଁଳିଆ ସକାଳ ଆଣିଛି
ଟାଉଁସିଆ ମଧ୍ୟାହ୍ନ ଆଣିଛି ।
ଭିଜା ଫଗୁଣ ରୁ ମେଞ୍ଚେ
ସିଝା ନିଦାଘ ରୁ ପୁଂଜେ ଆଣିଛି
ଚିହ୍ନି ପାରୁନ ବୋଲି କୁହ ନାହିଁ
ସବୁ ଜଣା ଶୁଣା ଥିଲା ଯାହା ଦିନେ
ହଜି ଯାଇ ଥିଲେ କେତେ କାଳୁ
ଅବା ଵିଞ୍ଛାଡ଼ି ହୋଇ ପଡି ଥିଲେ
କେଉଁ ଅବହେଳିତ ଅଗଣା ରେ,
ଦେଖ ସେ ସମସ୍ତଙ୍କୁ ସାଉଁଟି ଆଣିଛି ।
ସାଉଁଳିଆ ସକାଳ ଆଣିଛି
ଟାଉଁସିଆ ମଧ୍ୟାହ୍ନ ଆଣିଛି ।।

ତୁମ ପାଇଁ ମୁଠେ ସମୟ ଆଣିଛି
କାଗଜ ପୁଡ଼ିଆ ରେ ଭଜା ମଟର ଆଣିଛି
ପତର ଠୁଙ୍ଗା ରେ ଗରମ ଭୁଗୁନି ଆଣିଛି ।
ଝାପ୍ସା ଝାପ୍ସା ହେଲେ ବି ଯେତେ ସେ ସମୟ
ଥିଲେ ଅତି ଆପଣାର ଦିନେ ମାତ୍ର
ବୁଝି ପାରି ନ ଥିଲ ତୁମେ ଅବା ମୁଁ
ଖାମଖିଆଲିଆ ଜୀବନ ର ଧାରା
ଇଆଡ଼େ ସିଆଡେ ଖେଳେଇ ଗଲା ପରେ
ଆହୁରି ଅଚିହ୍ନା ହୋଇ ଯାଇଥିଲେ
ଉଦ୍ବେଗ ଅନେକ ଆନ୍ଦୋଳିତ ହୋଇଥିଲେ
ମାତ୍ର ଇତସ୍ତତଃ ଖେଳେଇ ପଡିଥିବା
ଅଭୂଲା ସମସ୍ତ ସ୍ମୃତି ମାନଙ୍କୁ
ଆଜି ଏକାଠି କରି ଆଣିଛି ।
ସାଉଁଳିଆ ସକାଳ ଆଣିଛି
ଟାଉଁସିଆ ମଧ୍ୟାହ୍ନ ଆଣିଛି ।

ଆଜି ବି ତୁମ ପାଇଁ ମୁଠେ ସମୟ ଆଣିଛି
ବିଦଗ୍ଧ ପ୍ରଣୟେ ଆଶା ଆଲୋକ ଜାଳିଛି
ମଧ୍ୟାହ୍ନ ହଜି ଗଲାଣି ସାୟନ୍ତନି ସାଇତିଛି
ତୁମେ ବି ଉଦାଶିନୀ ମୌନୀ ମାନ ମୟୀ
ନୀରବତା ଭିତରେ ହଜି ଗଲ ସେଦିନ
ଚୁପ ଚାପ ଦେଖୁଥିଲ ଖସଡ଼ା ସମୟ କୁ ।
ସମୟ ହଜି ଗଲା ମାତ୍ର ସ୍ମୃତି ଅନେଇଛି
ପୁରୁଣା ସମୟ ର ଲୋଳିତ ପୃଷ୍ଠା କୁ ଖୋଲି
ତୁମ ଆଖି ସାମ୍ନା ରେ ତୋଳି ଧରିଛି
ସାଉଁଳିଆ ସକାଳ ଆଣିଛି
ଟାଉଁସିଆ ମଧ୍ୟାହ୍ନ ଆଣିଛି ।



ସୂର୍ଯ୍ୟମଣି ଭିଲ୍ଲା, ହେମୁ ନଗର,
ବିଳାସପୁର, ଛତିଶଗଡ

Post a Comment

0Comments
Post a Comment (0)