ଖୋଜିଲେ ମିଳଇ ନାହିଁ
ଟିକି ଜାମା ଖଣ୍ଡେ ପିନ୍ଧି ଗାଆଁ ସାରା
ବୁଲୁଥାଉ ଧାଇଁ ଧାଇଁ ।।
ଖଣ୍ଡିଆ ଚକାକୁ ବାଡେଇ ବାଡେଇ
ବୁଲୁଥିଲୁ ନଦୀ କୂଳେ
ନଥିଲା ଆମର ଡର ଭୟ ପୁଣି
ଝୁଲିଛୁ ବର ଓହଳେ ।।
ଗଛ ପରେ ଚଢି ଖାଉଥିଲୁ ଦିନେ
ପାଚଲା ଆମ୍ବ ପଣସ
ତେନ୍ତୁଳି ଗଛକୁ ମାରୁଥିଲୁ ଟେକା
ହୋଇ ଭାରି ହସ ହସ ।।
ଗାଆଁ ପୋଖରୀରୁ ତୋଳୁଥିଲୁ କଇଁ
ପହଁରି ପହଁରି ଯାଇ
ମାଛଧରା ଖେଳେ ହୁଅଉ ଆନନ୍ଦ
ପାଣି ତଳେ ଲୁଚିରହି ।।
ଚିଲିକା କୂଳରେ ଗୁଡି ଉଡାଇଛୁ
ଅନେକ ସମୟ ଦେଇ
କୁନା, ମୁନା,ସୁଧା ଏକା ହୋଇ ଖେଳୁ
ଏକ ମାଆ ପୁଅ ହୋଇ ।।
ବାଲିଆ ପଟାର ଧୂଳି ଘରଖେଳ
ମନେ ପଡୁଅଛି ଆଜି
ରାଜା ରାଣୀ ପରି ଅନେକ ଖେଳନା
ଯାଇଛି ମୋହର ହଜି ।।
ସବୁଜ ସୁନ୍ଦର ମୋ ଗାଆଁର ଆଜି
ବଦଳି ଯାଇଛି ଛବି
ପୁରାଣ ପାଲାର ଆନନ୍ଦ କାହିଁଯେ
କେ କରିବ ଆଉ ଦାବି ।।
ଯୁଆଡେ ଚାହିଲେ ଦିଶେ କୋଠାବାଡି
ଆମ୍ବତୋଟା ହେଲା ପଦା
ଗଛ କାଟି ପୁଣି ମଣିଷ ହୋଇଛି
ନିଜ ପଣେ ନିଜେ ରଜା ।।
କାଟୁନାହିଁ ଆଈ ଅରଟରେ ସୁତା
ଖାଉନି ଖଇର ପାନ
ବଟୁଆତ ଆଉ ଦିଶୁନାହିଁ ଗ୍ରାମେ
ପାଲିଙ୍କି ହେଲା ସପନ ।।
ଭୁଆସୁଣୀ କାନ୍ଦ ଶୁଭୁନାହିଁ ଆଉ
ଶାଶୁ ଘର ବିଦା ହେଲେ
ପାଇକ ଆଖଡା ମଜା ଆଉ କାହିଁ
ଲଢଇ ଖେଳାଳି ଢାଲେ ।।
ଏହି ମୋର ସ୍ମୃତି ଅତୀତର କଥା
ଦେଖିଥିଲି ଯାହା ଦିନେ
କହିଦେଲି ଆଜି କବିତାର ଧାରେ
କ୍ଷମା କର ସାଧୁ ଜନେ ।।
ଅଠରବାଟିଆ, ବାଲୁଗାଁ, ଖୋର୍ଦ୍ଧା
