ଦିନ ବଢି ବଢି ଚାଲିଲା ଏମିତି ମାସ ପରେ ମାସ ମଧ୍ୟ ବିତଗଲା । ତାର ପାଠପଢା ସେତେବେଳକୁ ସରିଯାଇଥିଲା ଏବଂ ତାର ବାପା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ବନ୍ଧୁ ବାନ୍ଧିବାକୁ ନିଷ୍ପତି ନେଇଥିଲେ । ସେ ଯେତେବେଳେ ଏକଥା ଶୁଣିଛି ଗୋଟିଏ ନିଶ୍ବାସରେ ମୋ ପାଖକୁ ଦୌଡି ଆସି କୁଣ୍ଢେଇ ପକେଇଥିଲା। ଆଉ କାନ୍ଦି କାନ୍ଦି ସବୁ କିଛି କହିଥିଲା। ମୁଁ ଟିକେ ସାନ୍ତ୍ଵନା ଦେଇ ସେଇଦିନ ଘରକୁ ପଠେଇଦେଇଥିଲି ଏବଂ ଏ ବିଷୟରେ ମୋ ବାପା ବୋଉଙ୍କ ସହିତ ଯାଇ କଥା ହେଇଥିଲି। ସେମାନେ କହିଥିଲେ ତୋ ଖୁସିରେ ଆମେ ଖୁସି ବୋଲି। ପୁଣି କିଛିଦିନପରେ ତା ବାପାଙ୍କୁ ଭେଟିବାକୁ ଗଲି ଏବଂ ଆମ ସମ୍ପର୍କ ବିଷୟରେ କହିଲି। ତାର ବାପା କହିଲେ ମୁଁ ବୁଝୁଛି ପ୍ରେମ କରିବା ପାପ କି ଅପରାଧ ନୁହଁ କିନ୍ତୁ ; ସେ ଯୋଉ ଭୋଗ ବିଳାସରେ ବଢିଛି ସେସବୁ କ'ଣ ତୁମେ ଦେଇପାରିବ ତାକୁ? ମୁଁ କହିଥିଲି ସେସବୁ ତ ମୁଁ ଦେଇପାରିବିନି କିନ୍ତୁ ତା ଆଖିରେ ଲୁହ କି ମନକୁ ଦୁଃଖି ହେବାର ସୁଯୋଗ ଦେବିନି। ସେକଥା ଶୁଣି ଏତିକିରେ ଜୀବନ ବଞ୍ଚି ହୁଏନି ବୋଲି ତା ବାପା କହିଲେ ଏବଂ ଭୁଲିଯିବାକୁ ଅନୁରୋଧ ମଧ୍ୟ କଲେ। ଆହୁରି କହିଥିଲେ ଯଦି ବା ମୁଁ ତାକୁ ପଳେଇ ନେଇ ବିବାହ କରେ ତ ତାଙ୍କ ମନ କଦାପି ଖୁସି ହବନି ପରିବର୍ତ୍ତେ ଦୁଃଖ ଭିତରେ ଛଟପଟ ହେବ ବୋଲି।ମୁଁ ତାଙ୍କ ଅନୁରୋଧ ରକ୍ଷାକରି ସେଇଠୁ ପଳେଇ ଆସିଲି ।
ଠିକ୍ ଦୁଈ ଦିନପରେ ତାର ମୋର ଭେଟହେଲା। ସେ କାନ୍ଦିକାନ୍ଦି ଦୟାକରି ମତେ ତୁମ ପାଖକୁ ନେଇ ଆସବୋଲି କହୁଥାଏ। ବହୁତ ବୁଝେଇଲି ସେ କିନ୍ତୁ ଯମା ଶୁଣୁନଥିଲା। ପୁଣି କହିଲି ଶୁଣ ମୁଁ ଜାଣିଛି ଯେ ତୁମେ ମୋ ସହିତ ସେଇ ମାଟି ଚାଳଘରେ ରହିବାକୁ କିଛି ଆପତ୍ତି କରୁନ ତଥାପି ମଧ୍ୟ ତୁମକୁ ମୋ ସାଥିରେ ନେଇ ପାରିବିନି । କାରଣ ମୋ ବୋଉ ମତେ ସବୁବେଳେ ଗୋଟେ କଥା କହେ ଯଦି ଟିକେ ସୁଖ ପାଇଁ କାହାକୁ ଦୁଃଖ ପହଞ୍ଚେଇ କିଛି ବି ହାସଲ କରୁଛେ ନା ତାହା ବାଶୀ ଦିନ ସ୍ଥାୟୀ ରହେନି ବୋଲି । ଯଦିବା ମୁଁ ତୁମକୁ ଏବେ ମୋ ସାଥୀରେ ନେଇଯିବି ତାହାଲେ ତୁମେ,ମୁଁ ଆଉ ମୋ ବାପା ବୋଉ ମଧ୍ୟ ଖୁସୀ ହେବେ। କିନ୍ତୁ ତୁମ ବାପାଙ୍କର କୋହରେ ଆମ ମୋହ ମାୟା ଛିନ୍ନ ହେଇଯିବ ଆଉ ତାଙ୍କ ଆଖି ଲୁହରେ ଆମ ସଂସାର ମଧ୍ୟ ଭାସିଯାଇପାରେ। ତେଣୁ ତୁମେ ମତେ ଭୁଲିଯାଇ ତୁମ ବାପା ଠିକ୍ କରିଥିବା ପ୍ରସ୍ତାବରେ ରାଜି ହେଇଯାଅ।କିଛିଦିନ ପରେ ସବୁକିଛି ଠିକ୍ ହେଇଯିବ। ଏକଥା ଶୁଣି ସେଇଦିନ ମୋ ଛାତିରେ ମଥା ପିଟି ବହୁତ କାନ୍ଦିଥିଲା ।ତାହା ଆଜିପର୍ଯ୍ୟନ୍ତ ମୁଁ ଭୁଲିପାରୁନି। ତାର ଲୁହ ଭରା ଆଖି ମୁଁ ବଡ ସ୍ୱାର୍ଥପର ବୋଲି ସାକ୍ଷୀ ରଖି ଚାଲିଗଲା ।
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ
