ପ୍ରତ୍ୟାବର୍ତ୍ତନ - ରାଜେଶ କୁମାର ମୁଣ୍ଡ

0
ଯିବି, ନିଶ୍ଚୟ ଚାଲିଯିବି ତୁମ ସହ ।
ଜୀବନସାରା ଦେଇଆସିଥିବା
ପରୀକ୍ଷାର ଫଳ ଏଇନେ
ଗୋଟି ଗୋଟି ବାହାରୁଛି,
ଦୁଃଖଦ ମୂହୁର୍ତ୍ତ ସବୁ
ସୁଖ ହେଇ ଫେରୁଛନ୍ତି,
ଅଦିନେ ଛାଡ଼ି ଚାଲିଯାଇଥିବା
ଅନ୍ତରଙ୍ଗ ପକ୍ଷୀଟା
ଫେରିବି ଫେରିବି ହେଉଛି,
କିଛି ସମୟ ଯାଉ,
ଯେଝା ବାଟରେ ଫେରନ୍ତୁ ସଭିଏଁ !

ଏବେ ତ ଘର କାନ୍ଥରେ
ନୂଆ ରଙ୍ଗ ଲାଗିଛି,
ଖୋଳପା ଭିତରୁ ପ୍ରଜାପତିଟା
ବାହାରି ଉଡ଼ିବ ଉଡ଼ିବ ହେଉଛି,
ଅସଂଖ୍ୟ ଚଢ଼େଇ
ଗହମାତ ହେଉଛନ୍ତି
ଘର ସାମ୍ନା ବିଜୁଳି ଖୁଣ୍ଟ ତାରରେ,
ଆମ୍ବ ଗଛରେ କେତେ ଫଳ,
ହାତ ପାହାନ୍ତାରେ ମେଘ ଖଣ୍ଡିକ
ବୋଲ ମାନି ବରଷିବା ଅପେକ୍ଷାରେ ।



ଯଦି ଏମାନେ ପଚାରନ୍ତି
ମୋ ଯିବା କଥା,
କି ଉତ୍ତର ଦେବି ?




ଧର୍ମଗଡ଼, କଳାହାଣ୍ଡି, ଓଡିଶା
ମୋ- ୯୫୮୩୮୪୨୩୨୫

Post a Comment

0Comments
Post a Comment (0)