ବରଷାର ଦେଖା ନାହିଁ
ଅଳପ ବରଷି ବଉଦ ରୁଷିଛି
ଅଭିମାନ ଛାଡୁ ନାହିଁ !
ସପନ ସାଜିଛି ସେକାଳ ଝଡି ଯେ
ଅଦିନେ ଆସଇ ଝଡ଼
ଧାରା ଶ୍ରାବଣର ମୁଷଳ ଧାରାଟି
ଭୁଲି ଗଲାଣି ତା'ନୀଡ଼ !
ଅଧା ବାଟେ ଆଜି ଅଟକି ଯାଉଛି
କାହିଁକି ପଚାର ଥରେ
ଅଦିନେ ବରଷି ଅକାରଣେ କାହିଁ
ବନ୍ୟା ଭିଆଏ ମରୁରେ !
ନାହିଁ ସେ ବରଷା ନା ଅଛି ଶରତ
ନା ଅଛି ଚୋରା ଚଇତି
ରହିଛି କେବଳ ଧରଣୀ ବୁକୁରେ
ଗ୍ରୀଷ୍ମର ଅସହ୍ୟ ତାତି !
ହେମନ୍ତ ଅସ୍ତିତ୍ବ କେବେଠୁ ହଜିଛି
ବସନ୍ତ ଗୁମୁରି କାନ୍ଦେ
ପଥହରା ହୋଇ ସର୍ବସ୍ବ ହରାଇ
ମଳୟ ପଡ଼ିଛି ଦ୍ୱନ୍ଦେ !
ଯାହାସବୁ ଘଟେ ଆମରି ଯୋଗୁଁ ତ
ଏକଥାକୁ ଭୁଲି ଯାଅନି
ନୀରବତା ମନେ ଚେତେଇ ଦେଉଛି
ଅଭିମାନୀ ଏ ମେଦିନୀ !
ଶ୍ରୀହୀନ ଯେ ଆଜି ବସୁମତୀ ରାଣୀ
ନାହିଁ ତାର ପୂର୍ବ ଠାଣି,
ସର୍ବେ ଏକମନେ ରୋପିଦେଲେ ବୃକ୍ଷ
ଫେରିବ ଅତୀତ ପୁଣି !
ପବିତ୍ର କୁମାର ନାୟକ,
କେଲୁଆପଲ୍ଲୀ, ଗଞ୍ଜାମ
0 Comments
You can write now your valuable comments here. Off-topic comments may be removed or deleted without prior notice.