ଶୁଣରେ ଧନ ଦେଇଣ ମନ,
ଦୁଇ ଦିନର ଏଇ ଜୀବନ ।

କର ଅର୍ଜନ ଅସୀମ ଜ୍ଞାନ,
ସମାଜେ ଦିନେ ହେବୁ ବିଦ୍ବାନ ।



ସୁଗୁଣ କଲେ ତୁ ଆହରଣ,
ସଂସାରେ ପରା ହେବୁ ମହାନ ।

ଲଘୁଜନରେ ସ୍ନେହ ପ୍ରଦାନ,
ଗୁରୁଜନଙ୍କୁ ଯଥା ସମ୍ମାନ ।



ଉଦ୍ ଭ୍ରାନ୍ତ ବେଳ ଅଟେ ଯୌବନ,
କରିବୁ ନାହିଁ କେବେ କୁକର୍ମ ।

ନୀଚ ପ୍ରୀତିରେ ନୋହି ମଗନ,
ଉତ୍ତମ ପାତ୍ରେ ଦେବୁ ତୁ ମନ ।



ଦେବୁ ଯେ ଶିକ୍ଷା କରି ଯତନ,
ପରପିଢିର ଉଦାହରଣ ।

ପୂର୍ବପିଢିର ରଖିବୁ ଧ୍ୟାନ,
ତାଙ୍କ ଆଶିଷେ ହେବୁ ମହାନ ।



ସତ୍ କର୍ମେ କରିବୁ ଉପାର୍ଜନ,
ଭବିଷ୍ୟ ପାଇଁ ସଞ୍ଚିବୁ ଧନ ।

କରିବୁ ନାହିଁ କେବେବି ଋଣ,
ହାରିବୁ ନାହିଁ ମାନ ସମ୍ମାନ ।



ଖାଇବୁ ପଛେ ଭାତକୁ ଲୁଣ,
ବଞ୍ଚାଇଥିବୁ ତୋ ସ୍ବାଭିମାନ ।

ଦୁଃଖୀ ଦରିଦ୍ରେ କରିବୁ ଦାନ,
କହିବୁ ସଦା ମିଷ୍ଟ ବଚନ ।



ଖୋଲା ରଖିବୁ କର୍ଣ୍ଣ ନୟନ,
ଭଳି ନ ଯିବୁ ଦେଖି ଆନନ ।

ପରତେ ଯିବୁ ପରଖି ଗୁଣ,
କରିବୁ ନାହିଁ କା' ଅପମାନ ।



ଅଳୀକ ଅଟେ ଏଇ ଜୀବନ,
ଆସିଛୁ ଶୂନ୍ୟ ଯିବୁ ବି ଶୂନ୍ୟ ।

କରିବୁ ଯଦି କିଛି ବି ପୁଣ୍ୟ,
ଝୁରିବ ତୋତେ କୋଟି ପରାଣ ।



କରିବେ ନାହିଁ ଏ ଉଚ୍ଚାରଣ,
ବାହୁଡିଗଲା ଏ ପାପୀଜନ ।

ସତ ପଥରେ ରଖିଥା ମନ,
ଧନ୍ୟ ହୋଇବ ତୋର ଜୀବନ ।






ପ୍ରୀତିପ୍ରିୟା ମହାନ୍ତି, ପୁରୀ