ବସନ୍ତଋତୁର ଆଭା
ଋତୁରାଜ ବୋଲି ଋତୁକୁଳ କୁହେ
ମଳୟ ତା' ମନଲୋଭା ।।୧।।
ଗିରିକାନନରେ ବୃକ୍ଷ,ଫୁଲ,ଫଳ
ଅପେକ୍ଷାରେ ଚାହିଁଥା'ନ୍ତି
କେଉଁ ତିଥିରେ ଯେ ବସନ୍ତ ଆସିବ
ଶୃଙ୍ଗାରକ ଟୋପେ ନେଇ ।।୨।।
ଶୃଙ୍ଗାର ବେଶରେ ଶତ ସାଜସଜ୍ଜା
ବଣମଲ୍ଲୀ ହେଉଥାଏ
ବସନ୍ତର ସ୍ପର୍ଶେ ନିଗୁଢ ପ୍ରେମରେ
ସିଂହରଣ ଖେଳିଯାଏ ।।୩।।
ଶୃଂଖଳିତ ହୋଇ ଚାହିଁଛି ସେବତୀ
ବସନ୍ତର ସ୍ପର୍ଶ ପାଇଁ
ରଜନୀଗନ୍ଧାଟି ଭାବାତୁର ହୋଇ
ବାସୁଛି ତା'କୁ ଅନାଇଁ ।।୪।।
କେତକୀ ଫୁଲଟି କହି ବୁଲୁଅଛି
ପ୍ରେମିକ ମୋ ଆସୁଅଛି
ପରିସ୍ଥାନ ମୋର ହୋଇଯିବ ଧନ୍ୟ
ପ୍ରଣାମରେ କହୁଅଛି ।।୫।।
ସବୁଜ କ୍ଷେତରେ ସୋରିଷ ଫୁଲଟି
ରାଗିଣୀର ଗୀତ ଗାଏ
ବସନ୍ତ ଋତୁର ମୃଦୁମଳୟରେ
ପ୍ରେମିକର ସତ୍ତା ପାଏ ।।୬।।
ଗୋଲାପ ଫୁଲଟି କଣ୍ଟକ ଆଘାତେ
ଅଳପ ଲାଜରେ ହସେ
ଗୁମ୍ ସୁମ୍ ହୋଇ ଚୁପ୍ ଚୁପ୍ କୁହେ
ବସନ୍ତର ସ୍ପର୍ଶେ ବାସେ।।୭।।
ସୂର୍ଯ୍ୟମୁଖୀ ଫୁଲ ଅଭିବାଦନରେ
ପ୍ରତିଜ୍ଞା ତା' ଭାଙ୍ଗିଦିଏ
ବସନ୍ତର ଆଭା ସତେ ମନଲୋଭା
ବୁଲି ବୁଲି କହୁଥାଏ ।।୮।।
ପଳାଶ ପୁଷ୍ପଟି ମାନ, ଅଭିମାନ
ପାସୋରି ଯାଇଛି ସବୁ
ନ ଯାଉ ପଛକେ ଦୂର ଦେବାଳୟ
ବସନ୍ତର ପ୍ରୀତି ମଧୁ ।।୯।।
ପ୍ରୀତିସମ୍ଭାଷଣେ କୁମୁଦିନୀ, ପଦ୍ମ
ଜଳରେ ଅଛନ୍ତି ଚାହିଁ
ପ୍ରେମପତ୍ର ନେଇ ଆସିବ ବସନ୍ତ
ତା' ପରି ଆଉ କେ ନାହିଁ ।।୧୦।।
ରୂପ-ମାଧୁର୍ଯ୍ୟକୁ ସେନେହ ଯତନେ
ସଜାଉଛି ପାରିଜାତ
ବସନ୍ତ ପ୍ରେମରେ ପ୍ରୀୟମାଣ ସେ... ଯେ
ପ୍ରେମ ପରା ତା'ର ମିତ ।।୧୧।।
ଆଶା, ଆଶଙ୍କାର ଅଙ୍କକଷା ମଧ୍ୟେ
ବସନ୍ତ ଯେ ଆସୁଅଛି
ଶୃଙ୍ଗାର ରସରେ ରଙ୍ଗାୟିତ କରି
ସମସ୍ତଙ୍କୁ ହସାଉଛି ।।୧୨।।
ସୁନିଲ କୁମାର ବେହେରା, ଶିକ୍ଷକ
ନୂଆଗାଁ, ପଥରବନ୍ଧ, ଟାଙ୍ଗୀ, ଖୋର୍ଦ୍ଧା
ମୋ-୮୦୧୮୯୯୭୬୯୬
0 Comments
You can write now your valuable comments here. Off-topic comments may be removed or deleted without prior notice.