ଜିଦି ଛାଡି ଦେଖେ ଯେବେ
ଅସୁମାରୀ ମରୀଚିକା ...
ଭଙ୍ଗାଗଢ଼ାର ନୀରବ ସ୍ବୀକୃତି...
ତୃଷାର୍ତ୍ତର ଯୁଗଯୁଗର ପ୍ରତୀକ୍ଷା...
ବିବଶରେ ନଇଁପଡି଼ ଛୁଇଁଦେଲି ମରୁବାଲି,
ଏଇଠି ଗଢ଼ିଦେବି ତୁମ ପ୍ରତିକୃତି
ବିଲୟର ପ୍ରହର ଆସିବା ପୂର୍ବରୁ ...
ତୁମ ଆସିବାର ଖବର ପାଇଲେ
ତୁଟିଯିବ ଯୁଗଯୁଗର ଉପେକ୍ଷା ,
ନାଚିଯିବେ ମରୁବାସୀ ମେଘ ମହ୍ଲାରର ତାଳେ ,
ବାରିସିକ୍ତା ଓଠେ ଗାଇଯିବେ
ତୁମ ଅଭିନନ୍ଦନିକା,
ଆସିବ ମଳୟ ମନ୍ଦମନ୍ଦ ହସେ
ବାସନ୍ତିକ ରଜନୀରେ
ବିଭୋରିତ ରଙ୍ଗଣୀ ବେଶରେ ,
କୂଜନରେ ପୂରିଯିବ ଉଦାସୀ ହୃଦୟ !
ସଂକ୍ଷେପଣ କରେ ବୁଲବୁଲ
ଯେବେ ଗାଥା ଅତୃପ୍ତିର...
ଦୂରେ ବହୁଦୂରେ ଶୁଣି ଶୋଇଯିବ
ସମାଧିର ଅତୃପ୍ତ ମନଟି !
କାନପାରି ଚାହିଁଥିବି ଶୁଣିବାକୁ
ତୁମ ପାଦର ରୁଣୁଝୁଣୁ ଶବ୍ଦ,
ଥରିଯିବ ସର୍ବାଙ୍ଗ ଲହୁଲି ପରଶେ
ଚାହୁଁଥିବି ଆକାଶକୁ ପୁଣି ଥରେ
ଜହ୍ନର ଇତିବୃତ୍ତି ନିରୀକ୍ଷଣେ !
ପଚାରିବନି ଜହ୍ନକୁ ଜମା
ଯାଇଛି କି ଭୁଲି ?
କାଳେ ସେ କହିଦେବ
ତୁମ ଦେହେ ଲାଗିଛି ମୁଁ
ହୋଇ ମରୁବାଲି...!




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା