ପୂର୍ବବର୍ତ୍ତୀ ଭାଗ



ପାଞ୍ଚ ମାସ ପରେ ଘରକୁ ଆସୁଛି ଦିନା ଓରଫ ଦିନେଶ୍ ରାଉତ । ବିଚାରାଧିନ କୟଦୀ ଭାବେ ଜେଲରେ ଥିଲା । ଯଶୋଦାର ମୃତ୍ୟୁରେ ବି ଦିନା ନିର୍ବିକାର ଥିଲା । ତା ମୁଁହରୁ କିଏ ଭାଷା ଛଡାଇ ନେଇଛି ! ଦିନା ଖଇରପୁର କାହିଁକି ଆଖପାଖ ପଚାଶ ଖଣ୍ଡ ଗାଁ ରେ ମଧ୍ୟ ଜଣାଶୁଣା । ଦେଖିବାକୁ ସୌମ୍ୟ, ସ୍ବଭାବରେ ଶାନ୍ତ । କୌଣସି କଥାରେ ହାତ ପତାଇବା ତ ଦୂରର କଥା, ସେ କେବେ କାହା ପାଖରେ ଠିଆ ହୋଇ ସମୟ ନଷ୍ଟ କରିନି । ସେ ଥିଲା' କର୍ମେ ଜୀଁଏ ନର' ର ଜୀବନ୍ତ ପ୍ରତୀକ । ଜାନୀ ଯାତ ବା ମଲା ମୁରତିକାରେ ସେ ସମସ୍ତଙ୍କର କାମରେ ଲାଗିଛି । ବାପ'ର ଚାରିମାଣ ଜମି ତା'ର ସର୍ବସ୍ବ । ଗାଁରେ ସମସ୍ତଙ୍କ ସହ ମିତ୍ରତା ଭାବ । ହେଲେ ବାଲ୍ୟ ଜୀବନର ଏକ ଘଟଣା ଯେ ଏତେ ବର୍ଷ ପରେ ତା' ଜୀବନ ଗତିକୁ ମୋଡି ଦେବ ସେ କେବେ ଭାବି ନ ଥିଲା ।



ସେ ଦିନ... ପିଙ୍କୁ ପାଣି ଆଣିବା ପାଇଁ ଛୋଟ ଗରାଟିଏ ନେଇ ଯାଇଥିଲା ।ବଡମାନେ ଜଣ ଜଣ କରି ଟ୍ୟାପରୁ ପାଣି ନେଇ ଯାଉଥିଲେ । ବିଚାରି ପିଙ୍କୁ ଘଣ୍ଟାଏ କାଳ ଠିଆ ହୋଇଥାଏ ।ଟ୍ୟାପ୍ ଖାଲି ହେବା ଦେଖି ସେ ଗରାଟି ରଖିଛି । ଏହି ସମୟରେ ରାଜୁର ଝିଅ ସେବତୀ ପିଙ୍କୁ ଗରାକୁ କାଢିଦେଇ ନିଜ ଗରା ରଖିଦେଲା । ନଅ ବରଷର ପିଙ୍କୁ ଏହାର ପ୍ରତିବାଦ କରିଥିଲା ।ସେବତୀ ପିଙ୍କୁର ଚୁଟି ଧରି ପିଟିବାରେ ଲାଗିଲା । ପିଙ୍କୁ ଏକ ଶକ୍ତ ଧକ୍କାଖାଇ ତଳେ ପଡିଗଲା । ତଳେ ପିଟିହୋଇ ମୁଣ୍ଡ ଫାଟିଗଲା । ଏହି ସମୟରେ ଦିନା ବିଲରୁ ଫେରୁ ଥାଏ । ଧାଇଁଯାଇ ପିଙ୍କୁକୁ ତଳୁ ଉଠାଇଲା । ସନ୍ତାନର ଦୁଃଖ ମା ବାପା ସହିପାରନ୍ତି ନି ! ଦିନା ଭଲକରି ଦୁଇପଦ ସେବତୀକୁ ଶୁଣାଇଲା । ବାସ୍.. ଏଇତ ଥିଲା ଦିନାର ଅପରାଧ । ସେବତୀର ମା ଆସି ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଆରମ୍ଭ କରିଦେଲା । ବନ୍ଧୁ ପତ୍ନୀ ଭାବି ଦିନା ଚୁପଚାପ ପିଙ୍କୁକୁ ଧରି ଚାଲିଆସିଲା । ସନ୍ଧ୍ୟାବେଳେ ଦିନା ପିଙ୍କୁକୁ ମେଡିକାଲରୁ ଧରି ଘରେ ପହଞ୍ଚିଥାଏ । କନସ୍ଟେବଲ୍ ଡାକ ପକାଇଲା । ଥାନା ବାବୁ ଥାନକୁ ଡକାଇଛନ୍ତି ବୋଲି କହିଲା । ପାଞ୍ଚ ମାସର ଘଟଣା ଚକ୍ର ଦିନାର ସରଳ ଜୀବନକୁ ଧୀରେଧୀରେ ବିଷ ଭଳି ଆକ୍ରାନ୍ତ କରୁଥିଲା । ନୂଆ କରି ଆଉ ଏକ ଦୁନିଆ ଦର୍ଶନ କରିସାରିଥିଲା । ଦିନେଶ୍ ରାଉତ ବିଲୁପ୍ତ ଶାଗୁଣାର ରହସ୍ୟ ବୁଝିପାରୁଥିଲା । ଏମାନେ ରୂପ ବଦଳାଇ ସମାଜରେ ଉଡିବୁଲୁଛନ୍ତି । କ୍ରମଶଃ ଆଗକୁ ପଢନ୍ତୁ






ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା