କ୍ଷଣସ୍ଥାୟୀ ତୋର ଜୀବନ ଜୁଆର
ତଥାପି ଅମାପ ଆଶା
କାହିଁକିରେ ମନ ଭୁଲି ରାତି ଦିନ
ଜିଇଁବାର ଏତେ ନିଶା !

ସପନରେ ମଜ୍ଜି ଯାଇଛୁ ତୁ ହଜି
ତୁଚ୍ଛା ପାଇଁ ମୋର ମୋର
କାହାପାଇଁ ମନ ସଜାଉ ସପନ
କେହି ନୁହେଁ ଏଠି ତୋର !

ଯେଉଁ ପୁଣ୍ୟ ବଳେ ଧରଣୀର କୋଳେ
ଜନମିଲୁ ବାବୁ ତୁହି
ଭାବିଚୁକି କେବେ କପାଳରେ ଯେବେ
ଲେଖିଦେଲା ଯାହା ବିହି !

ଶୈଶବର ସେହି ସ୍ମୃତି ରୂପୀ ନଈ
କେବେଠୁ ଯାଇଚି ଶୁଖି
ଯୌବନରେ ତୋର ସୀମିତ ଶରୀର
କରିଛି ସେ ଆଡ ଆଖି !

ଅସରନ୍ତି ଆଶା ଜିଇଁବାର ନିଶା
ପଲକେ ସେ ଲିଭିଯିବ
ଜରାନିବାସରେ ଚାରି କାନ୍ଥ ତଳେ
ଜୀବନ ତୋ ଚାଲିଯିବ !

ଭରିଛିରେ ବିହି କେତେ ଅଳି ସହି
ଜୀବନ କାଳୀକୁ ତୋର
ଦୁର୍ଲଭ ଜୀବନ ବିଭୁ ଅବଦାନ
କରନାହିଁ ଛାରଖାର !




ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ