ପୂର୍ବବର୍ତ୍ତୀ ଭାଗ

ଯଶୋଦାର ଅନ୍ତିମ ଯାତ୍ରାର ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ।ନୂଆ ପାଟରେ ହଳଦୀ ମୁହୀଁ, ପାଦରେ ନାଲି ଅଳତା, ନୂଆ କାଚ ପିନ୍ଧାସରିଛି । ବାକି ରହିଛି ଦିନା ସିନ୍ଦୁର ପିନ୍ଧାଇବ ! ଦୁଇଟି ନିର୍ଜୀବ ମୂର୍ତ୍ତିର ଦୃଶ୍ୟ ଅତି ମର୍ମଭେଦୀ ଥିଲା । ଗୋଟିଏ ତ ଚିର ଦିନପାଇଁ ସ୍ଥାଣୁ ହୋଇ ଭୂମିରେ ଲୋଟିଯାଇଥିଲା । ଅନ୍ୟଟି ପ୍ରାଣ ଥାଇ ନିର୍ବାକ୍ ,ନିଶ୍ଚଳ । ପବିନ୍ ବୋଉର ତାଗିଦରେ ଦିନା ଜୁଳୁଜୁଳୁ କରି ଅନାଉଥାଏ । ପବିନ୍ ବୋଉ କହିଲେ --ରାତି ହେଲାଣି, ସିନ୍ଦୁର ପିନ୍ଧାଅ । ଶବ ଉଠିବ । ଦିନା ପୁଣି ଥରେ ଯଶୋଦାଙ୍କ ମୁଁହକୁ ଅନାଇଲା । ବେଶ୍ ଶାନ୍ତିରେ ଶୋଇଛି ଯଶୋଦା ।ବାହାଘର ଦିନ ସେ ବି ମନଭରି ଭୋଜି ଖାଇ ଶୋଇଥିଲା । ହଠାତ୍ କୋଳାହଳ ଆଉ ଦିନାର ବାପା ତା'ର ହାତଧରି ଉଠାଇବା ଦିନା ପାଇଁ ଅସହଜ ମନେ ହେଉଥିଲା । ତା'ଉପରେ ହଳଦୀ ପାଣି ଢାଳି ଗାଧୋଇ ଦିଆଗଲା । ଅଳତା ,କଜ୍ଜଳ ଲଗାଇଦିଆଗଲା । ନୂଆ ଧୋତି ପିନ୍ଧାଇ ବେଦୀ ଉପରକୁ ନିଆଗଲା । ଦିନା କିଛି ବୁଝିପାରୁ ନଥାଏ । ବାପା ତ ପାଖେ ପାଖେ । ସେ କ'ଣ ପଚାରିବାକୁ ଚାହୁଥିଲା ହେଲେ ବାପାଙ୍କ ଚାହାଣୀ ତାକୁ କିଛି ନକହିବାକୁ ଇଙ୍ଗିତ କରୁଥିଲା । ବେଦୀରେ କନ୍ୟାର ମୁଁହ ଓଢଣୀରେ ଆବୃତ । ଗୋସେଇଁ ମନ୍ତ୍ର ଉଚ୍ଚାରିବା ଆରମ୍ଭ କଲେ ।

ଦିନା ଯଶୋଦର ବାହାଘରକୁ ଆସିଥିଲା ।ଯଶୋଦାର ବାହାଘର ପାଖ ଗାଁ ବିଶ୍ବାଳ କାର୍ଯୀଙ୍କର ସାନ ପୁଅ ସହିତ ହେବାର ଥିଲା ।କଥାମୁତାବକ ୨୦ ହଜାର ଟଙ୍କା ବରଯାତ୍ରୀଙ୍କ ପାଇଁ ବି ଦିଆଯାଇଥିଲା ।ବରଯାତ୍ରୀଙ୍କ ଗାଡି ବି ପହଞ୍ଚି ସାରି ଥିଲା ।କିନ୍ତୁ ଖବର ଆସିଲା ବର ତା' ପ୍ରେମିକା ସହ ଫେରାର ।ଦିନାର ବାପା ମଙ୍ଗୁଳା କନ୍ୟାର ଉଦ୍ଧାର କରିବାକୁ ଅଣ୍ଟା ଭିଡିଥିଲେ ।ସମୁଦୀଙ୍କ କାନ୍ଧରେ ହାତ ରଖି ହସିକରି କହିଲେ --ଯୋଶୋଦାର ହାତ ଦିନା ସହିତ ଯୋଡିଦେବା ।ବନ୍ଦ ହୋଇଯାଇଥିବା ସାହାନାଇ ପୁଣିଥରେ ଶୁଭ ଲଗନକୁ ଉଚ୍ଛ୍ବାସିତ କରିଦେଲା ।କେଉଁ ଅଦୃଶ ମହାବାତ୍ୟାରେ ଗଛ ମାଟି ଛୁଁଇଲା ଭଳି ସ୍ତବ୍ଧ ହୋଇଯାଇଥିବା ବନ୍ଧୁବାନ୍ଧବ ସାହାନାଇର ଅବିଚ୍ଛନ୍ନ ସ୍ବର ଦ୍ବାରା ପୁଣି ମଥା ଉପରକୁ କରି ସମସ୍ତେ ଚଳଚଞ୍ଚଳ ହୋଇଗଲେ ।

ଦିନାର ବଡ ଭଉଣୀର ନଣନ୍ଦ ହେଉଛି ଯଶୋଦା ।ହେଲେ ବେଦୀ ଉପରେ କନ୍ୟା ବେଶରେ ବସିଛି କିଏ ? ଦିନାର ଅବା ଭାବିବାକୁ ସମୟ କାହିଁ ? ପାରିପାର୍ଶ୍ବିକ ପରିସ୍ଥିତି ଦିନାର ମନକୁ ଆତଙ୍କିତ କରୁଥାଏ ।ବିଦ୍ରୋହ କରିବାକୁ ଇଚ୍ଛାହେଉଥାଏ ।ଦିନାର ଭଉଣୀ ହାତ ଠାରି ଶାନ୍ତ ହେଇଯିବାକୁ କହୁଥିଲେ ।ଅପା ଉପରେ ଦିନାର ଭାରି ଭରସା ।ଦିିନା ମନରେ ଏକ ଅଦ୍ଭୁତ ପ୍ରତିକ୍ରିୟା ଆରମ୍ଭ ହେଲା ।ଲାଜୁଆ ମୁହଁରେ ଅପା ଆଡକୁ ଅନାଇ ମନେମନେ ହସୁଥିଲା ।ବଡ କସରତ ପରେ ଆଉ ଗୋସେଇଁଙ୍କ ମନ୍ତ୍ର ସ୍ଥଗିତ ନିର୍ଦ୍ଦେଶ କାଳରେ ନାଲି ପାଟ ଆଡକୁ କଣେଇ ଚାହୁଁଥିଲା ...। କ୍ରମଶଃ ଆଗକୁ ପଢନ୍ତୁ




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା