ଗର୍ବିତ କାହିଁକି ମଣୁଅଛେ ଆମେ
ଯେଉଁଠି ସୁରକ୍ଷା ନାହିଁ
ବାହାପିଟୁ ଆମେ ଦୁନିଆ ଆଖିରେ
ନାରୀତ୍ୱର ଗାଥା ଗାଇ !

ଭାବଥରେ ତୁମେ ନୁହେଁ କି ଭଗିନୀ
ନୁହେଁକି ନିଜର ସେହି
ବଞ୍ଚି ଥାଉ ଥାଉ ମାରି ଦେଲ ତାକୁ
କେମିତି ସହିବ ବିହି !

କୁନି ଆଖିରେ ତା ହଜାରେ ସପନ
ଧୂଳିସାତ୍ ହେଇଗଲା
ରକ୍ଷକ ସାଜିଲା ଭକ୍ଷକ ଯେବେରେ
ଜୀବନଟା ଚାଲିଗଲା !

ନିର୍ଭୟାର ଚିତା ଶାନ୍ତ ନହେଉଣୁ
ଇତିଶ୍ରୀର ପ୍ରାଣ ନେଲ
ବେବିନାର ଜୁଇ ଲିଭିନାହିଁ ଆଜି
ଏକଥାକୁ ଭୁଲିଗଲ !

ମିଳିଲାନି ନ୍ୟାୟ କେମିତି ବିଚାର
କେମିତି ଆମ ସଂସ୍କୃତି
ଦୋଷୀ ଏଠି ପରା ମୁକ୍ତରେ ବୁଲନ୍ତି
କରନ୍ତି ସେ ରାଜନୀତି !

ବଞ୍ଚିଥିବା ଯାଏଁ ସୁପ୍ତଥିଲେ ଆମେ
ଆଜି କାହିଁ ହୋହଲ୍ଲା
ଗଣତନ୍ତ୍ର ଆମ ଉତ୍କଳ ରାଇଜେ
ଚାଲିଛିରେ ଠିଆ ପାଲା !