ଭୋଗୁଛି ଆଜି ମୁଁ ଯାହା କିଛି ସବୁ
ମୋ ଭାଗ୍ୟେ ଲେଖିଛୁ ତୁହି,
କାହିଁ କରିବିନି ମାନ ଅଭିମାନ
ଜଗା ତତେ ଦୋଷି କହି,,।।
ବାଳୁତ କାଳରୁ ପାଇନି ମୁଁ ପ୍ରେମ
ମା'ର ସେନେହ ମମତା,
ପ୍ରତିରୂପ ତାର ଦେଖିବାକୁ ମଧ୍ୟ
ନାହିଁ ଯେ ମୋର କ୍ଷମତା,,
ତା ପଣତକାନି ଦେହ ମୋ ଛୁଇଁନି
ଅଛି ଧୂଳି ବୋଳି ହେଇ,
ଭୋଗୁଛି ଆଜି ମୁଁ ଯାହା କିଛି ସବୁ
ମୋ ଭାଗ୍ୟେ ଲେଖିଛୁ ତୁହି,,।।
ତୋ ବଡ ଦାଣ୍ଡରେ ବିତୁଛି ଜୀବନ
ଖୋଲିଲା ପରଠୁ ଆଖି,
ପେଟ ପାଇଁ ମୁଠେ ମାଗିଛି ମୁଁ କେତେ
କେବଳ ତୁ ଅଛୁ ସାକ୍ଷୀ,
ସୁଖ କ'ଣ ଟିକେ ଜାଣିପାରିଲିନି
ଦୁଃଖର ପୁଟୁଳି ବୋହି,
ଭୋଗୁଛି ଆଜି ମୁଁ ଯାହା କିଛି ସବୁ
ମୋ ଭାଗ୍ୟେ ଲେଖିଛୁ ତୁହି,,।।
ଜଣାନାହିଁ ମତେ ଆର ଜରନମରେ
କରିଥିଲି କେଉଁ ପାପ,
ଏଇ ଜନମରେ ଦେଖିପାରିଲିନି
ବୋଧହୁଏ ମା'ର ରୂପ,,
କରି କରାଉଛୁ ଦେଉଛୁ ନେଉଛୁ
କପଟ କରି କି'ପାଇଁ?
ଭୋଗୁଛି ଆଜି ମୁଁ ଯାହା କିଛି ସବୁ
ମୋ ଭାଗ୍ୟେ ଲେଖିଛୁ ତୁହି,,।।




ଜିତେନ୍ଦ୍ର ସାହୁ, ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ