ସୈନିକ ଜୀବନ ଅଟଇ କଠିନ
ସହେ ଶୀତ ଖରା ବର୍ଷା
ଘଞ୍ଚ ଜଙ୍ଗଲ କି ପାହଡ ପର୍ବତ
ଦେଶ ରକ୍ଷା ତାର ନିଶା ।।

ସାମ୍ନା କରିଥାଏ ସବୁ ପରିସ୍ଥିତି
ନଥାଏ ଡର କି ଭୟ
ସଦା ସର୍ବଦା ସେ ଶତ୍ରୁ କୁ ହରାଇ
କରେ ଭାରତକୁ ଜୟ ।।



ରଣ ମେଦିନୀକୁ ଦେଖି ଡରେନାହିଁ
ଶପଥ ତାର ବିଧାନ
ରକ୍ତବିନ୍ଦୁ ଥିବା ଯାଏ ସେ ଲଢଇ
ଏହି ତାର ସ୍ବାଭିମାନ ।।

ମାଟିର ସେବାରେ ଦିଏ ବଳିଦାନ
ଜୀବନୁ ପାଣି ଛଡାଇ
ପ୍ରତିଟି ପାଦରେ ବିପଦ ସାଥିରେ
ଲଢେ ସେ ଆଗକୁ ଧାଇଁ ।।



ଆମ ପାଇଁ ସିଏ ପ୍ରକୃତ ନାୟକ
ସୁଖ ସମୃଦ୍ଧିର ପାଇଁ
ଯାହାଲାଗି ଆମେ ଶାନ୍ତିରେ ଶୋଉଛୁ
ମନୁ ସବୁ ଭୁଲିଯାଇ ।।

ନିଜକୁ ପଚାରି ଦେଖନ୍ତୁତ ଥରେ
ଦେଶ ମେରୁଦଣ୍ଡ କିଏ ?
ସୈନିକ କୃଷକ ବିନା କି ଦେଶର
ପ୍ରଗତି କି କଥା କହେ ।।



ରାଜନେତାଙ୍କର ଚିନ୍ତା ନାହିଁ ଟିକେ
ଜର୍ଜରିତ ଯା ଜୀବନ
ଶହୀଦର ପରେ ଦେଇଯାନ୍ତି ଟିକେ
ଦେଖାଣିଆ ସନମାନ ।।

ନିଜ ଜୀବନକୁ ବାଜି ସେ ଲଗାଏ
ଧରଣୀ ମାର ପାଇଁ
ଭାବିଛକି ଥରେ ନିର୍ଲଜ ମାନବ
ସଂମ୍ପତିରେ ମୋହ ଯାଇ ।।



ଦେଖିଛକି ଥରେ ରଣର ହୁଂକାର
କତେସେତ ଭୟଙ୍କର
ଖସିଯିବ ତୁମ ପାଦତଳୁ ମାଟି
କରିବ ଉଠି ଚିତ୍କାର ।।

ଭୁଲିଯିବ ସବୁ ବଡିମା ଗାରିମା
କାତରେ ଯିବରେ ମରି
ଅର୍ଥ ଲୋଭିଙ୍କର ଉପର ମୁହାଁରେ
ହଜିବ ସପନ ଶିରି ।।



ନିଜ ପ୍ରାଣେ ପିଣ୍ଡ ଥିବା ଯାଏଁ କୁହ
ଜୟ ଜବାନ ଜୟ କିଶାନ
ଧନ୍ୟ ମୋର ଭୂମି ପବିତ୍ର ଭାରତ
ସମଗ୍ର ବିଶ୍ବେ ମହାନ୍ ।।

ଜନଗଣ ମନ ଗାଉଥାଆ ନିତି
ବନ୍ଦେ ମାତରମ୍ କହି
ଗୋଟିଏ ମାଳର ସ୍ୱର୍ଣ୍ଣ ଚମ୍ପା ଆମେ
ମହକିବା ଦେଶେ ରହି ।।






ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ, ଖୋରଧା