ନିକଟରେ ମୋ କମ୍ପାନିର ଜନୈକ ବ୍ୟକ୍ତି ଆନ୍ଧ୍ରପ୍ରଦେଶରୁ ବ୍ରହ୍ମପୁର ଆସିଥିଲେ । ରେଳ ଷ୍ଟେସନରେ ଓଲ୍ହାଇବା କ୍ଷଣି ତାଙ୍କର ପ୍ରଥମ ପ୍ରଶ୍ନଟି ମୋତେ ଥିଲା ‘ଆଜ୍ଞା, ଏ ସହରର ନାମ ବେରହମପୁର କାହିଁକି ଅଛି? ଏହାର କିଛି ଅର୍ଥ ଅଛି; ନା’ ଇଂରାଜୀରେ ଭୁଲ ଲେଖା ହେଇଛି? କାରଣ’ ହିନ୍ଦୀରେ ଲେଖାଅଛି ବ୍ରହ୍ମପୁର, କିନ୍ତୁ ଇଂରାଜୀରେ ଲେଖାଅଛି ବେରହମପୁର। କେଉଁଟି ଠିକ? କାରଣ – ‘ବ୍ରହ୍ମପୁର’ ନାମରେ ଆମ ହିନ୍ଦୁଦେବ ବ୍ରହ୍ମାଙ୍କ ନାମ ଉଲ୍ଲେଖିତ ଅଛି । ଯାହାକି ମୋତେ ଉଚିତ ମନେହେଉଛି । ଏହା ବ୍ୟତିତ, ବେରହମପୁର ନାମଟି ସଂପୂର୍ଣ୍ଣ ଅର୍ଥହୀନ ଲାଗୁଛି ।‘


ସତରେ କହିବାକୁ ଗଲେ, ଏ ପ୍ରଶ୍ନଟି ପିଲାଦିନରୁ ମୋ ମନରେ କାହିଁ କେତେଥର ଉଙ୍କିମାରିଛି, କିନ୍ତୁ ଇନ୍ଦ୍ରଧନୁର ରଙ୍ଗପରି କ୍ଷଣିକ ସମୟ ପାଇଁ ଆସି ଲିଭିଯାଇଛି। କେବଳ ଏତିକି ନୁହଁ, ଭିନ୍ନ ଭିନ୍ନ ସ୍ଥାନରେ ‘ବ୍ରହ୍ମପୁର’ ଶବ୍ଦର ଭିନ୍ନ ଭିନ୍ନ ଇଂରାଜୀ ଶବ୍ଦ ଲିଖିତ ଦେଖିବାକୁ ମିଳିଛି । ଯେପରି, Berhampur, Berahamapur, Brahmapur, Bramhapur, ଇତ୍ୟାଦି। ବ୍ରିଟିଶକାଳରେ ଇଂରାଜୀମାନେ ଯାହାତ’ ଭୁଲଭାଲ କରି ଆମ ଭାରତୀୟ ଶବ୍ଦଗୁଡ଼ିକର ଅପଚୟ କରିବା ସହ ଭାଷାର ମର୍ଯ୍ୟାଦାହାନି କରିଯାଇଛନ୍ତି । କିନ୍ତୁ ସେମାନଙ୍କ ପ୍ରସ୍ଥାନର ଆଜି ୭୦ବର୍ଷ ପରେ ବି ସେ ସବୁ ତ୍ରୁଟିଗୁଡ଼ିକ ସଂଶୋଧନ ହୋଇପାରିନି।

ଯେପରି ‘ଓଡ଼ିଶା’ ଏବଂ ‘ଓଡ଼ିଆ’ ଶବ୍ଦର ସଠିକ ଇଂରାଜୀ ଶବ୍ଦ ଗଠନ ହୋଇପାରିଲା; ଠିକ ସେହିପରି ଆମ ରାଜ୍ୟରେ ଥିବା ଏପରି କେତେକ ସହର ଏବଂ ସ୍ଥାନ ଅଛି ଯାହାର ସଠିକ ଇଂରାଜୀ ଶବ୍ଦରୂପାୟନ କରିବା ନିହାତି ଆବଶ୍ୟକ । ଆଉ, ଏ ସବୁର ସଠିକ କାର୍ଯ୍ୟକାରୀ ସେହି ସହରର, ସେହି ଜିଲ୍ଲାର ଲୋକମାନଙ୍କ ପଦକ୍ଷେପ ଦ୍ଵାରା ହିଁ ସମ୍ଭବ ହୋଇପାରିବ ।

ନିକଟ ଅତୀତରେ ଥରେ ମୁଁ ଏକ ସାହିତ୍ୟ ସମ୍ମିଳନୀରେ ଭାଗ ନେବା ପାଇଁ ଚିକିଟି (ଗଞ୍ଜାମର ଏକ ସ୍ଥାନ) ଯାଇଥିଲି। ଉକ୍ତ ସମ୍ମିଳନୀରେ ମୋ ପାଖରେ ବସିଥିବା ଦୁଇବ୍ୟକ୍ତିଙ୍କ ମଧ୍ୟେ ‘ଚିକିଟି’ ନା ‘ଚିକିଟୀ’ ଶବ୍ଦକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯେହେତୁ, ତାଙ୍କ ପତ୍ରିକାରେ ସେ ‘ଚିକିଟି’ ଲେଖିଥିଲେ, ଅନ୍ୟଜଣେ ବ୍ୟକ୍ତି ଏହାକୁ ଭୁଲ କହି ବିରୋଧ କରିଥିଲେ । ସତକହିବାକୁ ହେଲେ, ଠିକ କ’ଣ ଭୁଲ କ’ଣ ମୁଁ ବି ଜାଣିନଥାଏ । କିନ୍ତୁ ଜଣକ ଯୁକ୍ତିରୁ ମୁଁ ଏତିକି ଜାଣିବାକୁ ପାଇଲି, କିଛି ଶବ୍ଦର ଅର୍ଥ ଓଡ଼ିଆ ଅଭିଧାନରେ ବି ନଥାଏ, ଯାହା ସେହି ଅଞ୍ଚଳର ଲୋକଉକ୍ତି ହୋଇଥାଏ । ‘ଚିକିଟି’ ଶବ୍ଦର ଯେହେତୁ କୌଣସି ଓଡ଼ିଆ ଅର୍ଥ ନାହିଁ ଏବଂ ସେହି ଅଞ୍ଚଳର ଲୋକଙ୍କ ମତାନୁସାରେ ‘ଚିକିଟୀ’ହିଁ ସଠିକ ଓଡ଼ିଆ ଶବ୍ଦ ।

ଆମେ ଜାଣୁ, ‘ଖେମୁଣ୍ଡି’ ଶବ୍ଦଟି ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ । ଯେପରି ସାନଖେମୁଣ୍ଡି, ବଡଖେମୁଣ୍ଡି (ବର୍ତ୍ତମାନର ଦିଗପହଣ୍ଡି), ପାରଳାଖେମୁଣ୍ଡି ଇତ୍ୟାଦି। କିନ୍ତୁ ଆମେ ଯଦି ୬୦-୭୦ବର୍ଷ ପୁରୁଣା ପ୍ରକାଶିତ ବହିଗୁଡିକୁ ଦେଖିବା ସେଥିରେ ପାରଳାଖେମୁଣ୍ଡି ସ୍ଥାନର ନାମଟି ‘ପାରଳାକିମିଡ଼ି’ ନାମରେ ପ୍ରକାଶିତ। କାରଣ ‘ପାରଳାକିମିଡ଼ି’ ସେହି ସେମୟର ଲୋକୋକ୍ତି ହେଇଥିବାରୁ ବିଭିନ୍ନ ପୁସ୍ତକ ପ୍ରକାଶକମାନେ ସେପରି ଲେଖିଥିଲେ । ଏବେ କିନ୍ତୁ ତାହା ପ୍ରାୟତଃ ବଦଳି ଯାଇଛି।

ଆମ ରାଜଧାନୀ ଜିଲ୍ଲା ‘ଖୋର୍ଦ୍ଧା’ ଶବ୍ଦଟିର ସଠିକ ଇଂରାଜୀ ଶବ୍ଦଟି ଯେପରି Khordha ହୋଇପାରେ କିନ୍ତୁ ବିଭିନ୍ନ ସ୍ଥାନରେ ଏହା Khurda/Khurdha ଲେଖା ହୋଇଥିବାର ଦେଖାଯାଏ । ଏହା ହୁଏତ କିଛି ବ୍ୟକ୍ତିଙ୍କ ପାଇଁ କିଛି ବି ଫରକ ପଡ଼େନି କିନ୍ତୁ, ଯେତେବେଳେ ଜଣେ ଅଣଓଡ଼ିଆ ଏହି ଶବ୍ଦକୁ ଭୁଲ ଉଚ୍ଚାରଣ କରେ, ସେତେବେଳେ ଏହି ଶବ୍ଦର ଅପମାନ ହୁଏ। ଭୁଲ ଇଂରାଜୀ ଶବ୍ଦମାନଙ୍କ ମଧ୍ୟରେ କିଛି ଶବ୍ଦ ଏପରି ଅଛି – ବାଲେଶ୍ବର(Balasore), କେନ୍ଦୁଝର(Keonjhar), ଛତ୍ରପୁର(Chatrapur), ଜୟପୁର (Jeypore), ଇତ୍ୟାଦି। ତେଣୁ ମୋ ମତରେ ସମସ୍ତେ ନିଜ ନିଜ ସ୍ଥାନର କିମ୍ବା ଜିଲ୍ଲାରେ ଥିବା ସହର/ଗାଁ ଗୁଡିକର ନାମ, ସରକାରୀ କ୍ଷେତ୍ରରେ ଯଦି ଓଡ଼ିଆ (କିମ୍ବା) ଇଂରାଜୀରେ ଭୁଲ ଲିଖିତ ହୋଇଥାଏ, ତେବେ ଏହାର ସଂଶୋଧନ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ।

ଭାଷାଭିତ୍ତିକ ରାଜ୍ୟରେ ଓଡ଼ିଶା ଯେପରି ନିଜର ସ୍ଵତନ୍ତ୍ର ପରିଚୟ ଗଠନ କରିଛି, ଏହାକୁ ଆଗରେ ରଖି ଆମକୁ ଓଡ଼ିଆ ଭାଷାର ନିର୍ଭୁଲ ବ୍ୟବହାର ଉପରେ ବି ଧ୍ୟାନ ଦେବାକୁ ପଡ଼ିବ । ଏହା ତେବେ ସମ୍ଭବ, ଯେବେ ଆମ୍ଭେ ନିଜେ ଏହାର ସଠିକ, ନିର୍ଭୁଲ, ନୀର୍ଣ୍ଣାୟକ ଓ ଉପଯୁକ୍ତ ଉପସ୍ଥାପନ କରିପାରିବା। ଆପଣଙ୍କୁ ଯଦି ଲାଗୁଛି, ନାମ ସଂଶୋଧନର ନିହାତି ଆବଶ୍ୟକତା ଅଛି, ତେବେ ଅବିଳମ୍ବେ ପ୍ରସ୍ତୁତ ହୋଇ ପଦକ୍ଷେପ ନିଅନ୍ତୁ ।




ଠିକଣା – ବସୁଧା କମ୍ପ୍ୟୁଟର, ଗୋଇଲୁଣ୍ଡି ମେନ୍ ରୋଡ଼, ବ୍ରହ୍ମପୁର, ଗଞ୍ଜାମ (ଓଡିଶା) ୭୬୦୦୦୪
ମୋବାଇଲ-୭୮୦୯୮୭୨୪୮୩