ଅବତାରୀ ପୁରୁଷ ହେ ପରୁଷୋତ୍ତମ
ତବ ପାଦ ତଳେ କରେ କୋଟି ପ୍ରଣାମ
ମର୍ଯ୍ୟାଦା ର ଠାକୁର
ତୁମେ ହେ ରଘୁବୀର
ସଦା ମୁଁ ଗାଇବି ତବ ଅମୃତ ନାମ
କରେ କୋଟି ପ୍ରଣାମ ।।।

ତବ ନାମ ଗାଇ ଦସ୍ୟୁ ହେଲା ବାଲ୍ମୀକି
ଲେଖିଲା ଅମର ଗାଥା ପଦ ଧ୍ୟାୟିକି
ରଖି ଗଲା ସେ ଯଶ
ପାଇ ତବ ଆଶିଷ
ଆଶିଷ ବାରି ରୁ କିଛି ମୁଁ ପାଇବି କି ?
ତବ ପଦ ଧ୍ୟାୟିକି ।।।



ପାଦ ରେଣୁ ଲାଗି ପଥର ହେଲା ନାରୀ
ପ୍ରେମେ ପାଦ ଧୋଇଦେଲା ଜ୍ଞାନୀ ନାଉରୀ
ପାଦ ଦର୍ଶନ ପାଇଁ
ଦେବତା ହ୍ୱନ୍ତି ବାଇ
ସେହି ପାଦକୁ ପୂଜିବି ହୃଦରେ ଧରି
ଭବୁ ଯିବି ଉଦ୍ଧରି ।।।

ଭାଙ୍ଗିଥିଲ ଯେଉଁପରି ଶିଵଧନୁ କୁ
ମୋ ମନୁ ଭାଙ୍ଗ ସେପରି ଅହଂକାର କୁ
ଏହି ମନ ମୋ ସଦା
କହିବ ରାମ କଥା
ଜୀବନ ଚକ୍ରରୁ ମୋତେ ନିଅ ଊର୍ଦ୍ଧ୍ବ କୁ
ଭାଙ୍ଗି ଅହଂକାର କୁ ।।।



ଭକତ ବତ୍ସଳ ହରି ହେ ଚାପଧାରୀ
କପି ଶ୍ରେଷ୍ଠ ବୋଲାଇଲା ନାମ ସୁମରି (ତବ)
ଜଗତେ ହେଲ ଖ୍ୟାତ
ତୁମ ପରମ ଭକ୍ତ
ଯାର ସେବା କଲେ ମିଳେ ଶ୍ରଦ୍ଧା ତୁମରି
ପ୍ରଭୁ ନାମ ସୁମରି ।।।

ମାୟା କୁ ରଚି ମାରିଲ ମାୟା ମୃଗକୁ
ବୈକୁଣ୍ଠ ରେ ସ୍ଥାନ ଦେଲ ସେ ଅସୁରକୁ
ପେଶି କୋଦଣ୍ଡୁ ବାଣ
ନିଅ ହେ ମୋର ପ୍ରାଣ
ତବ ପଦେ ସ୍ଥାନ ଦିଅ ଅକିଞ୍ଚନ କୁ
ଦେଲ ସେ ଅସୁରକୁ ।।।