ବିଦେଶ ଫେରନ୍ତା ଛାତ୍ରଟି ଶିକ୍ଷକଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ଜଣାଇ କୁଶଳ ପୁଛନ୍ତେ ଶିକ୍ଷକ ଜଣଙ୍କ ସ୍ୱଓଷ୍ଠରେ ଶୁଷ୍କ ହାସ୍ୟ ଖେଳାଇ ଉତ୍ତର ରଖୀଲେ ସେ ଏ ଯାବତ୍ ଭଲ ଅଛନ୍ତି କିନ୍ତୁ ଏକ ବିଭଙ୍ଗ ମନରେ କହିଲେ ଅବସର ନେବାପାଇଁ ଆହୁରି ଦୀର୍ଘ ଏକ ବର୍ଷ ବାକି ଅଛି । ସୌମ୍ୟଜିତ୍ ବୁଝି ପାରୁନଥିଲା ଶିକ୍ଷାଦାନକୁ ବ୍ରତ ମଣି ଶିକ୍ଷାର୍ଥୀଙ୍କୁ ଗଭୀର ଭଲ ପାଉଥିବା ଶିକ୍ଷକ ଜଣକ କେବେଠାରୁ ଏମିତି ଶିକ୍ଷା ବିମୁଖ ହେଲେ ଆଉ କାହିଁକି ! ସଦା ଛାତ୍ର ବତ୍ସଳଶିକ୍ଷକ ସୌମ୍ୟଜିତ୍ ର ଦୈନନ୍ଦିନ ତଥା ବୃତ୍ତିଗତ କୁଶଳତା ଜାଣିବାର ଇଛା ପ୍ରକାଶ କଲେ । ସେ ପ୍ରଗଳ୍ଭିତ ହୋଇ କହିଲା ତାଙ୍କ ଆଶ୍ରୀବାଦରୁ ସେ ଭଲରେ ଅଛି । ବିଦେଶରେ ସେ ଭଲ ଚାକିରୀରେ ଅବସ୍ଥାପିତ । ତା’ସ୍ୱରରେ ଥିଲା କୃତଜ୍ଞତାର ଛିଟ ।



ଅବୋଧ ସୌମ୍ୟଜିତ୍ ସେ ଦିନ ଶିକ୍ଷକଙ୍କ ମହତ୍ ଉଦ୍ଦ୍ୟେଶ ବୁଝି ନପାରି ତା’ଙ୍କ ବେତ୍ରାଘାତର ପ୍ରତିବାଦ କରିଥିଲା ବାପାଙ୍କ ପାଖରେ । ବାପା କିନ୍ତୁ ଶିକ୍ଷକଙ୍କ ସମ୍ମୁଖରେ ପୁଣି ତାକୁ ଦୁଇ ଚଟକଣା ଦେଇ ଶିକ୍ଷଙ୍କ ନିକଟରେ କ୍ଷମା ପ୍ରାର୍ଥନାର ନିର୍ଦ୍ଦେଶ ଦେଇଥିଲେ । ବାପା ଚେତାଇ ଦେଇଥିଲେ ଶିକ୍ଷକଙ୍କ ବେତ୍ରାଘାତ ଅନ୍ତରାଳେ ମନ୍ଦ ଉଦ୍ଦ୍ୟେଶ ନିହିତ ନୁହେଁ, ବରଂ ଲୁଚିଥାଏ ଏକ ମହତ୍ ଉଦ୍ଦ୍ୟେଶ । ସେ ଶିକ୍ଷାର୍ଥୀ ର ଶତ୍ରୁ ନୁହନ୍ତି ବରଂ ସହାୟକ ଓ ହିତାକାଂକ୍ଷୀ । ନିଜ ଭୁଲ୍ ଅବଗତ ହୋଇ ଶିକ୍ଷକଙ୍କ ଚରଣରେ ଆଶ୍ରିତ ହେବା ଆଗରୁ ଶିକ୍ଷକ ତାକୁ କୋଳେଇନେଇ କହିଥିଲେ ଯେ ଭୁଲ୍ ବୁଝିପାରିବା ପରେ କ୍ଷମା ମାଗିବା ନିହାତି ଆବଶ୍ୟକ ନୁହେଁ । ସେ ନିଜ ଭୁଲ୍ ବୁଝିପାରିଲାଣି ଏଣିକି ସେ ଭଲ ପିଲା ହୋଇଯିବ ।



ସାରଙ୍କ ଏମିତି ଛୋଟ ମୋଟ ବେତ୍ରାଘାତ, ସେଇ ଦେଢହାତ ଲମ୍ବର ଗୁଆବେତ କେତେ ପିଲାଙ୍କୁ ଯେ ବିପଥଗାମୀରୁ ନିବୃତ୍ତ କରିଛି, ତା’ର ହିସାବ ସାର୍ ନିଜେ ବି ରଖିନଥିବେ । ଏକ ସଚ୍ଚୋଟ ଆଦର୍ଶମୟ ଜୀବନ ଯାପନ ପାଇଁ ସୌମ୍ୟଜିତ୍ ଏବେ ବି ମନେ ମନେ ସାର୍ ଙ୍କ ବେତ୍ରାଘାର ଲୋଡେ । କୌତୁହଳକୁ ଚାପି ନପାରି “ବେତଟି କାହିଁ ଦେଖାଯାଉନି”ବୋଲି ସେ ପଚାରି ପକାଇଲା । ସାର୍ ଗମ୍ଭୀର ହୋଇଗଲେ । ଆଲ୍ମାରୀ ରୁ ବାହାର କରି ଦେଖାଇଲେ କନାବଦ୍ଧ ଅର୍ଦ୍ଧମଷ୍ଠିରୁ କମ୍ ଭସ୍ମ । ସଂଶୟରେ ସେ ଶିକ୍ଷଙ୍କ ମୁହଁକୁ ଚାହିଁଲା । ଦୀର୍ଘଶ୍ୱାସ ପକାଇ ସାର୍ ଉଠିଗଲେ । ତାକୁ ଟାଣିଟାଣି ନେଇଗଲେ ବିଦ୍ୟାଳୟ ବାହାର କାନ୍ଥକୁ ଦେଖାଇଲେ ବଡବଡ ଅକ୍ଷରରେ ଲେଖା ଥିବା ‘ଦଣ୍ଡମୁକ୍ତ ଅଞ୍ଚଳ’ ଆଉ ନିଶୁଳ୍କ ଦୂରଭାଷ ସଂଖ୍ୟା । ମଣିଷ ଗଠନ ଉଦ୍ଦ୍ୟେଶ ନିହିତ ଥିବା ବେତରେ ସରକାର୍ ଲୁକ୍କାଇତ ପ୍ରେମକୁ ଦେଖିପାରିଲେନି;ବିବେଚନା କଲେ ଶିକ୍ଷକଙ୍କ ଅସ୍ତ୍ର । ପରିମାର୍ଜନର ବେତ୍ରାଘାତରେ ଖୋଜାହେଲା ଶିକ୍ଷକଙ୍କ ହିଂସା । ଶିକ୍ଷକଙ୍କ ସ୍ୱରରେ ଥିଲା ପ୍ରତିବାଦ । ସରକାରୀ ନିୟମ ଶିକ୍ଷକଙ୍କ ହାତରେ ପକାଇଛି ଅଦୃଶ୍ୟ ହାତକଡି ଶିକ୍ଷକଙ୍କ ପାଟିରେ ଅଦୃଶ୍ୟ ପଟୀ । ଯେଉଁଠି ଶିକ୍ଷାର୍ଥୀଙ୍କୁ ସୁଧାରିବା ସକାଶେ କଡା କରି ଦୁଇପଦ କହିବାର ଅଧିକାର ଶିକ୍ଷଦଙ୍କର ନାହିଁ, ସେଠାରେ ଦଣ୍ଡର ଆବଶ୍ୟକତା କ’ଣ ? ତେଣୁ ସେ ଦଣ୍ଡକୁ ପୋଡି କେବଳ ରଖିଛନ୍ତି ଏଇ ତା ଭସ୍ମ । ତାଙ୍କ ମନରେ ଥିଲା ଗଭୀର କୋହ । ପିଲାମାନଙ୍କ କୋଳାହଳମୟ ପରିବେଶରୁ ମିଳୁଥିଲା ଶବ୍ଦ ପ୍ରଦୂଷଣର ଗନ୍ଧ । ତୃତୀୟ ନୟନ ରେ ସୌମ୍ୟଜିତ୍ ଦେଖି ପାରୁଥିଲା ଲଗାମ୍ ହୀନ , ବେପରୱା, ଉଦ୍ଧତ ଛାତ୍ରଙ୍କ ଔଦ୍ଧତ୍ୟ, ଶିକ୍ଷା ବ୍ୟବସ୍ଥାର ଏକ ବିବର୍ଣ୍ଣ ଭଗ୍ନସ୍ତୁପ;ଏକ ଅସଜଡା ବିପଥଗାମୀ ସମାଜ । ବେତର ଚିତାଭସ୍ମ ଦେଖି ତା’ର ମନେ ହେଉଥିଲା ସେ ଦେଖୁଛି ଶିଷ୍ଟାଚା ଓ ଅନୁଶାସନର ଚିତାଭସ୍ମ ।






ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଞ୍ଜାମ
ମୋ- ୯୮୬୧୭୩୨୨୫୬