ପୁରି ଉଠିଲାଣି ବନ ଓ ବନାନୀ
ଧରଣୀ ସାଜେ ରଙ୍ଗଣୀ..
ପ୍ରସ୍ଫୁଟିତ ଫୁଲେ ଭ୍ରମର ଉତ୍ଫୁଲେ
ବିଚରି ଗାଏ ରାଗିଣୀ !

ବଉଳ ବାସୁଛି ଚଇତି ଛୁଇଁଛି
ପ୍ରକୃତି ଯେ ପୁଲକିତ
ତରୁ ଲତା ଗୀତ ମଳୟ ସଙ୍ଗୀତ
ଅବନୀକୁ କରେ ତୃପ୍ତ !



ବନ ଉପବନୁ ଉଛୁଳି ପଡୁଛି
ମହ ମହ ଫୁଲ ବାସ
ମନ ଉପବନ ଶିହରୀ ଯାଉଛି
ଲଭିବାକୁ ପ୍ରୀତି ସ୍ପର୍ଶ !

ରଙ୍ଗର ପସରା ଦେଉଛି ଇଶାରା
ବୁଝ କି ନ ବୁଝ ସାଥୀ..
ଛୁଇଁ ଗଲା ପରେ ମୃଦୁ ମଳୟ ଯେ
ବହୁଚି ଚୋରା ଚଇତି !



ସଞ୍ଜ ସକାଳର ଶିଶିର ମୋତିର
ଚୁନା ଚୁନା ତାରା ଫୁଲ
ଭାବେ ରାତି ଦିନ ପ୍ରକୃତିର ଦାନ
ଦେଇ ହେବନି ତା ମୂଲ !

ଗୋଧୂଳି ଶେଷରେ ସୀମିତ ହସରେ
ଜଳେ ଗାଆଁ ସଞ୍ଜବତୀ
ଶୀତଳ ସମୀର ଆଣେ ଶିହରଣ
ଭରେ ଯେ ଅକୁହା ପ୍ରୀତି !



ପାହାନ୍ତି ନିଶିରେ ଗଗନ ବୁକୁରେ
ଫୁକିଆ ତାରା ନୀଳିମା..
ଅପାଶୋରା ତାର ଚାରୁ ଚିତ୍ରପଟ
କି ଦେବି ବାରେ ଉପମା !




ପବିତ୍ର କୁମାର ନାୟକ,
କେଲୁଆପଲ୍ଲୀ,ଗଞ୍ଜାମ