ଗୋଳେଇ ହଳଦୀ ଲୁଣ
ଭଜା ମାଛ ବାସ୍ନା କଲା ଅସମ୍ଭାଳ
ପାଟିରୁ ଗଡ଼ିଲା ଲାଳ ।।
ବିଲେଇ ନାଁ ରେ ଚାଖିଦେବି ଖଣ୍ଡେ
ପାରିବେନି କେହି ଜାଣି
ଖଣ୍ଡେ ଚାଖୁ ଚାଖୁ ସରିଲାଣି ସବୁ
ଆଈ ନପାରଇ ଜାଣି ।।
ନତିଆ ଟୋକାଟା ଦେଖୁଥିଲା ଲୁଚି
ରୋଷେଇ ଝରକା ଦେଇ
ବୋଇଲା ଆଈଲୋ ମତେ ଖଣ୍ଡେ ଦିଏ
ନ ହେଲେ ଦେବି ମୁଁ କହି ।।
ଅଜା ପରା ତୋର ଚଳନ୍ତି ଠାକୁର
କହୁଥିଲୁ ମୋର ଆଗେ
ଆଜି କିଆଁ ଆଈ ଆଗ ଦେଲୁ ଖାଇ
ବଡ ମାଛ ଭଜା ଲୋଭେ ।।
ବିଚାରୀ ଆଈ ଟି ପଡି ଅଡୁଆରେ
ବିଚାର କରଇ ମନେ
ନାତିଆକୁ ଲାଞ୍ଚ ଦେଇ ବିଦାକରି
ବୋଲିବି ବିଲେଇ ନାମେ ।।
କାମ ସାରି ଅଜା ଖାଇବାକୁ ସଜ
ପାଖଳକୁ ମାଛ ଭଜା
କଞ୍ଚାଲଙ୍କା, ଲେମ୍ବୁ, ଲୁଣ ର ସାଥିରେ
ଗୋଟା ପିଆଜ ର ମଜା ।।
ଆଈ ଭାତ, ଡାଲି, ଖମ୍ବଆଳୁ ଭଜା
ଅଜା ପାଶେ ଦେଲା ଥୋଇ
କଟମଟେ ଅଜା ଚାହିଁଲେ ଆଈ କୁ
ମାଛ ଭଜା ମୋର କାହିଁ ।।
ସକେଇ କହିଲା କି' କହିବି ପ୍ରିୟ
ଝୁମୁରୀ ତ ଥିଲା ଛକି
କୋଉ ସାଜେ ଆସି ରନ୍ଧା ଘରେ ପଶି
ସବୁତକ ଦେଲା ଢ଼ୋକି ।।
ଏଡ଼େ ଅଲାଜୁକି ହେଲୁ କେବେଠାରୁ
ଅଜା ତ ବୋଇଲେ ରୋଷେ
ମୋ ଉପରୁ କି ତୁଟିଲା ଭରସା
ମିଛ ତୁ କହିଲୁ ଶେଷେ ।।
କରିବ ବୋଲି ସେ ତତେ ହଇରାଣ
ଆମର ଘରେ ପୁରାଇ
ଝରକା କବାଟ କିଳି ସବୁ ବାଟ
ଯାଇଥିଲି ତଳ ଦେଇ ।।
ଯାହା ହେଲା ହେଲା, କାଲି ବଜାରରୁ
ଆଣିବି ଭାକୁର ମାଛ
ନିଜେ ମୁଁ ଭାଜିବି ମିଶିକି ଖାଇବା
କହିବୁନି କେବେ ମିଛ ।।
ରଶ୍ମି ରଞ୍ଜିତା ମିଶ୍ର, ବ୍ରାହ୍ମଣକୁଶଡିହ, ବାଲୁଗାଁ
