ଦିଲ୍ଲୀ ରୁ ପଲ୍ଲୀ - ରଶ୍ମି ରଞ୍ଜିତା ମିଶ୍ର

0
ରଶ୍ମି ରଞ୍ଜିତା ମିଶ୍ର (ରୋଜି)
ବ୍ରାହ୍ମଣକୁଶଡିହ, ବାଲୁଗାଁ, ଖୋରଧା

ନିଃସର୍ଗ ଲଷ୍ମୀଙ୍କ ପ୍ରମୋଦ ଉଦ୍ୟାନେ
ସ୍ଵର୍ଣ୍ଣପ୍ରସୂ ଧରା ନାଚେ ମୋ ନୟନେ ।।

ବୃକ୍ଷେ ବିହଙ୍ଗଙ୍କ ମଧୁର କାକଳି
ଅସ୍ତାଚଳ ସୂର୍ଯ୍ୟ ଆଉ ସଞ୍ଜର ଗୋଧୂଳି ।।


ଋତୁ ପର୍ଯ୍ୟାୟର ସେହି ନୁପୁର ନିକ୍ଵଣ
ପ୍ରଶାନ୍ତ ପ୍ରତ୍ୟୁଷେ ପଲ୍ଲୀ ଭୂମି ଆକର୍ଷଣ ।।

କଳ ନିନାଦିନୀ ସ୍ରୋତସ୍ୱିନୀର ମୂର୍ଚ୍ଛନା
ନିଃସ୍ତଦ୍ଦ ରଜନୀ ଚିତ୍ରେ ଚିତ୍ତ ଆନମନା ।।


ମଲ୍ଲୀ, ହେନା, ମାଳତୀ ଓ ଚମ୍ପକ ମହକ
ବନ୍ଧା ଏଠି ମନ ମୁନ କବି ଦାର୍ଶନିକ ।।

ଗ୍ରାମ୍ୟ କିଶୋରୀର ରୂପ ଲାବଣ୍ୟକୁ ଦେଖି
ସ୍ଵର୍ଗୀୟ ଆନନ୍ଦ ପାଏ ଲେଖକଙ୍କ ଆଖି ।।


ଲାସ୍ୟମୟୀ ବର୍ଷାରାଣୀ ରୁଣୁଝୁଣୁ ତାନ
ପାଗଳ ମଧୂପର ମଧୁର ଚୁମ୍ବନ ।।

ପୁଷ୍କରିଣୀ ଆରସିରେ ଚାନ୍ଦ ଦରଶନ
ଜ୍ୟୋସ୍ନା ମଦିରାମତ୍ତା କୁମୁଦର ଶିହରଣ ।।


ଆମ୍ର କୁଞ୍ଜେ କୋକିଳର ସେ ପଞ୍ଚମ ସୁର
ପଲ୍ଲୀ ଜୀବନକୁ କରେ ସରସ ସୁନ୍ଦର ।।

ମନ୍ଦିରୁ ଶୁଭଇ ଘଣ୍ଟ କାହାଳୀର ନାଦ
ଭାଗବତ ଟୁଙ୍ଗୀ ଘରେ ବୟୋଜ୍ୟେଷ୍ଠ ପାଦ ।।


ବାରମାସେ ତେର ପର୍ବ କେଡେ ମନୋହର
ପଲ୍ଲୀ ଜୀବନକୁ କରେ ଉତ୍ସବ ମୁଖର ।।

Post a Comment

0Comments
Post a Comment (0)