ଅଠରବାଟିଆ, ବାଲୁଗାଁ, ଖୋରଧା
ସାହିତ୍ୟକୁ ନେଇ ରାଜନୀତି ଆଜି
ଅଣ୍ଟାକୁ ଦେଲାଣି କଷି
ଗାଆଁ ଗଣ୍ଡା ସାରା କବି କବୟତ୍ରୀ
ନବୁଝି ଗଲେଣି ପଶି ।।
ଭାଷା ଆନ୍ଦୋଳନ ମଡର୍ଣ୍ଣ ରୂପରେ
ହେଉଅଛି ସହରରେ
ପରିଧାନ କରି ପାଶ୍ଚାତ୍ୟ ପୋଷାକ
ମାନପତ୍ର ଧରି କରେ ।।
ଗାନ୍ଧୀଙ୍କ ସପନ ସୁନାର ଭାରତ
ସତେକି ସତ୍ୟ ହୋଇବ
ଗାଆଁର ପ୍ରତିଭା ଲୁଚି ଯାଉଛନ୍ତି
ପ୍ରୋତ୍ସାହନ କିଏ ଦେବ ।।
ବଣମଲ୍ଲୀ ପରି କବି କବୟତ୍ରୀ
ଲେଖି ଲେଖି ଯା'ନ୍ତି ଝଡ଼ି
ମିଡିଆ ପ୍ରଚାର ନଥାଏ ତାଙ୍କର
ଲେଖା ଯାଏ ଉଇ ମାଡି ।।
ସମାଜକୁ ଯିଏ ସଜାଡି ଦିଅନ୍ତି
ନିଜର ଲେଖନୀ ଧାରେ
ଦୁଃଖ କଷ୍ଟ ଭୁଲି ଲେଖନ୍ତି ବାରତା
ଉତ୍ତମ ସମାଜ ପରେ ।।
ବଡିମା ଗାରିମା ଖୋଜିଥାନ୍ତି କିଛି
ଭୁଲନ୍ତି ମାନବିକତା
ଗରିବ କବିଟେ ପାଇ ପାରେନାହିଁ
ତିଳେ ମାତ୍ର ସହାୟତା ।।
ସରକାରଙ୍କର ନାହିଁ ଧ୍ୟାନ ଟିକେ
କିଏ ଦେବ ମନବଳ
କେତେ ଲେଖକଙ୍କ ଅନାଟନ ଆଜି
ଭାଙ୍ଗିଅଛି କାବ୍ୟ କଳ ।।
ଉଚ୍ଚ ଆସନରେ ବସି କରି ଆଜି
ପାଆନ୍ତି ଭୁଏ ପ୍ରଶଂସା
ଭିତିଭୂମି ହରା ହୁଏ ପ୍ରଶଂସିତ
ଇଏକି ଆମ ସଂହିତା ।।
ଆହେ ରଙ୍ଗାଜୀବ ଫକୀର ମୋହନ
ଗୋଦାବରୀଶ ମହାପାତ୍ର
କବିସୂର୍ଯ୍ୟ ତୁମେ କରନ୍ତୁ ଆଶିଷ
ହସୁ ଏ ଉତ୍କଳ ଶାସ୍ତ୍ର ।।
ଚିରଞ୍ଜିବୀ ହେଉ ସାହିତ୍ୟର ସ୍ରୋତ
ତୁମରି ଶବ୍ଦ ଛାନ୍ଦରେ
ଘେନାକର ଆମ୍ଭ ଟିକି ପ୍ରଣତିକୁ
ଅମର ସରଗ ପୁରେ ।।
(ବ୍ୟଙ୍ଗାତ୍ମକ ଭଙ୍ଗୀରେ ଲିଖିତ ଦୟାକରି କେହି ଦେହକୁ ନେବେନି)
