କିଶୋର ପଣ୍ତା
ବାଲିକୁଦା, ଜଗତସିଂହପୁର

ତୁମ ଅହଂକାରର ଶବ୍ଦବିନ୍ୟାସକୁ ନହେଁ
ମୁଁ ତୁମ ଆପଣାପଣକୁ ଝୁରେ
ତୁମ ଭାଷାବିଜ୍ଞାନରେ ବନ୍ଦୀ କରନି
ତୁମ ଭାବ ବିଜ୍ଞାନେ ମୁଁ ହାରେ ।
ସେହି ପରାଜୟେ ମୋର ମୁକ୍ତି
ସେହି ପରାସ୍ତ ହିଁ ଚିରଶାନ୍ତି ।
ସେଇ ଭାବର ସମାଧି
ବତୁରାଏ ଯଦି
କୋଉ ପାଠକର ଛାତି ।
ପୁଷ୍କରିଣୀ ପରି ଶୁଷ୍କ କରନି
ଝରଣା ମୁଁ ଭାବଧାରା
ସବୁରୀ ପ୍ରାଣକୁ ଛୁଇଁବାକୁ ଚାହେଁ
ଆବୋରି ସକଳ ଧରା
ସବୁ ହୃଦୟର ମିଠା ଦରଜରେ
ନାଆଁ ମୋର ଲେଖା ପରା ।
ତୋଡ଼ାରେ ନରଖି ଜୁଡ଼ାରେ ରଖ ହେ
ମହକିବି ମହମହ
ଭୋଗିବାକୁ ମୋତେ ଉଲଗ୍ନ କରନା
ଉନ୍ମୁକ୍ତ ସଦା ମୋ ଦେହ
ଯୋଗୀ ଠାରୁ ଭୋଗୀ ଆସକ୍ତ, ବୈରାଗୀ
ସଭିଏଁ ମୋ ଆପଣାର ।
ତୁମ ଅଧିକାର ପଣ କଷ୍ଟଦିଏ ବେଶି
ପ୍ରବୃତ୍ତି ମୋ ବାରଭୋଗ୍ୟ
ଜଣକର ନୁହଁ ଗଣଙ୍କ ପ୍ରେୟସୀ
ହେବାପାଇଁ ମୁଁ ଯୋଗ୍ୟ
ଭାବ, ଯଦି ମୋତେ ସଜାଅ ତୁରିତେ
ଦେଇ ରସ ଶୃଙ୍ଗାରର ।।