ପଥରା, ଖଲ୍ଲିକୋଟ, ଗଞ୍ଜାମ
ସତର ଆୟୁଷ ସରିସରି ଗଲା
ଆଉ କ୍ଷଣେମାତ୍ର ବାକି
ବିଦାୟୀ ସତର କାନ୍ଦୁଛି ଅନ୍ତରେ
ମୁହଁ ତା ଯାଇଛି ଶୁଖି ॥
ଶୁଖିଲା ମୁହେଁ ସେ ନୀରବେ ଚାଲୁଛି
ସମୟର ରାଜପଥେ
ସେଇ ରାଜପଥେ ଭେଟ ହେଲା ସିଏ
ଦି ହଜାର ଅଠର ସାଥେ ॥
କହିଲା ସତର ଅଠର ଭାଇରେ
ଯାଉଛି ଦୁନିଆ ଛାଡି
ଏତିକି କହି ସେ ଅଠର ସମ୍ମୁଖେ
କାନ୍ଦିକାନ୍ଦି ଗଲା ଗଡି ॥
ଆସିଥିଲି ଦିନେ ଏ ମର୍ତ୍ତ୍ୟମଣ୍ଡଳେ
ଭାରି ଯାକଯମକରେ
କେତେ ହସଖୁସି ବାଣ୍ଟୁଥିଲି ସବୁ
ସରିଗଲା କ୍ଷଣକରେ ॥
ଆଗମନ କାଳେ ସଂଗେ ଆଣିଥିଲି
ବାରଗୋଟି ଯୁବା ପୁଅ
ବିଦାୟ ବେଳରେ କେହି ନାହିଁ ପାଶେ
ଅଛି ଖାଲି ଟୋପେ ଲୁହ ॥
ଏ ଦୁନିଆ ସତେ ଭାରି ସ୍ୱାର୍ଥପର
ସର୍ବେ ସ୍ୱାର୍ଥ ପଛେ ଅନ୍ଧ
ଅଠର ବୁଝାଇ କହେ ସତରକୁ
ବନ୍ଦକର ତୁମ କାନ୍ଦ ॥
ଆସିବା ଯିବାତ ଲାଗିଛି ସଂସାରେ
ଏହା ବିଧାତାର ଖେଳ
ମୁଁ ଆଜି ଆସିଛି କାଲି ଚାଲିଯିବି
ସରିଗଲେ ମୋର ବେଳ ॥
ସେଥିପାଇଁ ଦୁଃଖ କରନା ସତର
ତୁମକୁ ମୋ ଅନୁରୋଧ
ହସିହସି ତୁମେ ହୋଇଲେ ବିଦାୟ
ହସିବ ଜୀବନ ସୌଧ ॥
0 Comments
You can write now your valuable comments here. Off-topic comments may be removed or deleted without prior notice.