ପ୍ରକାଶ କୁମାର ଚାନ୍ଦ
ଜଯପୁର ଶାସନ, ପିପିଲି, ପୁରୀ
ରୂପ ରାଇଜର ରାଜକୁମାରୀ ତୁ
ସରଗ ରାଇଜ ପରୀ
ସତେ କି ଆସିଛୁ ସରଗୁ ଓହ୍ଲେଇ
ଅପରୂପା ଅପସରୀ ॥
ମଳୟ ତ ଛୁଇଁ ତୋହରି ଦେହକୁ
ଚନ୍ଦନ ଚନ୍ଦନ ବାସେ
ଗଛରେ ଧରିନି ବଉଳର କଷି
ତଥାପି ଫଗୁଣ ହସେ ॥
ହସିଦେଲେ ତୁହି ଖାଲ ପଡିଯାଏ
ଗୋରୀ ତୋର ଗୋରା ଗାଲ
ପ୍ରଜାପତି ମନ ହୁଏ ହାଇଁପାଇଁ
କରିବାକୁ ତତେ ଗେଲ ॥
ସହି ପାରୁନାହିଁ ଆଉ ଚନ୍ଦ୍ରଭାନୁ
ଈର୍ଷାରେ ଯାଉଛି ଜଳି
ରୂପ ତୋର ଦେଖି ଝାଉଁଳି ପଡୁଛି
ଲକ୍ଷେ ପଦୁଅଁର କଳି ॥
ଯେବେଠାରୁ ତୁହି ସତର ଡେଇଁକି
ଅଠରରେ ଦେଲୁ ପାଦ
ସେଇଦିନ ଠାରୁ ସଭିଙ୍କ ଆଖିରୁ
ମିଳେଇ ଯାଇଛି ନିଦ ॥
କାହା ଅଗଣାରେ ହୋଇବୁ ତୁଳସୀ
କିଏ ସେହି ଭାଗ୍ୟବାନ
ସତେକି ଲୋ ସିଏ ସାତଜନ୍ମ ପାଇଁ
କରିଅଛି ବୋଧେ ପୂଣ୍ୟ ॥
