ସଲିଳ କୁମାର ସ୍ଵାଇଁ, ସହକାରୀ ଶିକ୍ଷକ
ସୁନ୍ଦରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଟାଙ୍ଗୀ, ଖୋରଧା । ଦୁରଭାଷ - ୯୪୩୭୦୯୦୧୨୪

ବୋଉ ମୋର କହେ ପାଠ ନପଢିଲେ
ଚରେଇବୁ ଗାଈ
ପାଠପଢି ଏବେ ଚରାଏ କୁକୁର
ଗାଈକୁ ରଖୁନି ଗୁହାଳେ ଏବେ
କିନ୍ତୁ ଦେଲେ କ୍ଷୀର
ଘାସ-କୁଣ୍ଡା ଦେଇ କରୁଛି ଆଦର ॥

ପିଲାବେଳେ ମୋ ଗାଁ’ରେ ନଥିଲେ ମଦୁଆ
ଶାନ୍ତ ଗ୍ରାମପଥ
ଥିଲା ଦୃଢ ଭାଇଚାରା ସଂପରକ
ପ୍ରତିଘରେ ଏବେ ଗଣ୍ଡାଏ ମଦ୍ୟପି
ଗୃହ ବିପର୍ଯ୍ୟସ୍ତ
କାଲି ଆଜି ମଧ୍ୟରେ ଏଇତ ଫରକ ॥

ହଜି ତ ଗଲାଣି (ଏବେ) ବୋଉ ବୋଉ ଡାକ
ପଖାଳ ଆମ୍ବୁଲ
ଭୁଜା ମୁଢି ଗୁଡ ଏଣ୍ଡୁରୀ ମହକ
କୁରୁକୁରେ ବିଙ୍ଗୋ ପାସ୍ତା ଚାଉମିନ
ଶରଧା ସବୁରି
ମିଳେ ଅତ୍ର ତତ୍ର ରାସ୍ତାଘାଟ ଛକ ॥

ଅନାଥ ଆଶ୍ରମେ ଅସହାୟ ଶିଶୁ
ଖୋଜେ ନିରାପତ୍ତା
ବିପର୍ଯ୍ୟସ୍ତ ଅନିଶ୍ଚିତ ଭବିଷ୍ୟତ
ଶିକ୍ଷିତ ସ୍ଵଚ୍ଛଳ ପୁଅ ବୃଦ୍ଧାଶ୍ରମେ
ଛାଡେ ପିତାମାତା
ଶ୍ରବଣ ଆଜିର ଦାୟିତ୍ଵରୁ ମୁକ୍ତ ॥

ଭାଗବତ ଟୁଙ୍ଗୀ ସଞ୍ଜରେ ନିରୋଳା
ଜଳେନି ପ୍ରଦୀପ
ଶୁଭୁନାହିଁ ଏବେ ନବାକ୍ଷରୀ ଛନ୍ଦ
ବଦଳି ଗଲାଣି ଏବେ ମୋର ଗାଁ ଚିତ୍ର
ମିଛଯନ୍ତ୍ର ଯୁଗ
ଜୀବନ ଜୀବିକା ସବୁ ଯନ୍ତ୍ରବତ ॥