ପ୍ରସନ୍ନ କୁମାର ମାଦଳା
ଘ.ନଂ.- ଏଫ୍/ ୧୩ , ସେକ୍ଟର - ୪
ରାଉରକେଲା - ୭୬୯୦୦୨
ଫୋନ୍ - ୭୯୭୮୧୯୨୨୨୭
ଆସ ହେ ଧାଇଁ ଭଉଣୀ ଭାଇ ସହଳ ଦେଖ ଆସି
ଶୁଣ ସମସ୍ତେ ବଡ଼ ଆରତେ କାନ୍ଦେ କେ ଦିବାନିଶି ।
କାଲିର ରାତି ଆଜି ପାହାନ୍ତି ବେଳଠୁ କଇଁ କଇଁ
ଶୁଭୁଛି ତା'ର ବେଦନା ସ୍ବର ସକାଳେ ଗଲି ଧାଇଁ ।
ପ୍ରକୃତି ରାଣୀ କାନ୍ଦୁଛି ଶୁଣି ହେଲି ମୁଁ ଛଟପଟ
ଗାଆଁ ପାଖରେ ଗିରି ଉପରେ କରିଲି ଯାଇ ଭେଟ ।
କନ୍ଦରୁ ଗିରି କହିଲା ଠାରି ଆସରେ ପୁଅ ଆସ
କରିବି କିସ ଲାଗୁଛି ବିଷ ଆୟୁଷ ମୋର ଶେଷ ।
ଗରଭେ ମୋର ଅଛି ଧାତୁର ଭଣ୍ଡାର ବୋଲି ଜାଣି
ଦପ୍ତର ବାବୁ କହିଲେ ସବୁ ଖୋଳିବେ ଏଠି ଖଣି ।
ଆସିଲେ ଧାପେ କଳିଲେ ମାପେ ବହୁତ ଧନରାଶି
ଲଗାଇ କଳ ଯନ୍ତ୍ରର ବଳ ହାଣିବେ ଗଛ ଆସି ।
ଖୋଳିଣ ହୃଦ ଖଞ୍ଜି ବାରୁଦ ଲଗାଇଦେବେ ନିଆଁ
ଏକଥା ଶୁଣି କାନ୍ଦଇ ଗୁଣି ଲାଗେ ବଡ଼ ଛାନିଆଁ ।
ଦେହରୁ ମୋର ବହଇ ଝର ବିମଳେ ଶୁଦ୍ଧ ପାଣି
ଗଛ ଡାଳରେ ଫୁଲ ଫଳରେ ଭରିଛି ରସ ଜାଣି ।
ଆସି ମୋ କୋଳ ହୁଅନ୍ତି ଠୂଳ ବିବିଧ ପଶୁ ପକ୍ଷୀ
ତାଙ୍କରି କଥା ଭାଳି ଏ ବ୍ୟଥା ଲୁହେ ଭରିଛି ଆଖି ।
ଏକଥା ଶୁଣି ଭାବିଲି ପୁଣି ଉପାୟ କେଉଁ କଲେ
ପରିବେଶର ସୁରକ୍ଷା ଭାର ଉଠାଇ ହେବ ଭଲେ ।
ଜନମ ଦେଲା ମାଆଠୁ ଭଲା ବଡ଼ ଏ ମାଟି ମାଆ
ତାହାରି ପାଇଁ ସୁଖରେ ଥାଇ ବଢାଉ ଦେଶ ନାଆଁ ।
ହାତକୁ ହାତେ ଧରି ସମସ୍ତେ ଲମ୍ବା ଧାଡିଟେ କରି
କରି ଶୃଙ୍ଖଳ ଲଗାଇ ବଳ ରହିବା ଆମେ ଘେରି ।
ସବୁ ପ୍ରକାର ଛାଡିବା ଡ଼ର ବିରୋଧ କରି ଯେବେ
ଏ ସରକାର ପିଲାଙ୍କ ସ୍ବର ଶୁଣିବେ ଯାଇ ତେବେ ।
ମାଟି ମାଆର ଦୁଃଖ - ପ୍ରସନ୍ନ କୁମାର ମାଦଳା
August 19, 2017
0
