ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ୱର

ପ୍ରଭୁ ଜଗନ୍ନାଥ ଇନ୍ଦ୍ରଦ୍ୟୁମ୍ନ ଆଗେ କରିଥିଲେ ଏ ଶପଥ
ନୀଳାଚଳ ଧାମ ଛଡା ମୋର ନାହିଁ ଅନ୍ୟ କେଉଁଠାରେ ବାସ ॥
ମୋହର ଏ ମୂର୍ତ୍ତି କୁଆଡେ ବି ଯାଉ ଅବା ଏଠି ରହିଥାଉ
ସବୁଠାରେ ମୋର ପୂଜା ହୋଇପାରେ ଦେଉଳ ଥାଉ ନଥାଉ ॥
କିନ୍ତୁ ମୁହିଁ ସଦା ପୁରୀଠାରେ ଥିବି କେବେ ଯିବିନି ଅନ୍ୟତ୍ର
ଏହିଠାରେ ମୋତେ ଦରଶନ କଲେ ପାପୀ ହେବ ପୂଣ୍ୟବନ୍ତ ॥
କୃଷ୍ଣଙ୍କ ଯେପରି ଚେତନାର କେନ୍ଦ୍ର କେବଳ ହିଁ ବୃନ୍ଦାବନ
ଅଯୋଧ୍ୟା ସେପରି ରାମଚନ୍ଦ୍ରଙ୍କର ପରମ ପବିତ୍ର ଧାମ ॥
ସେପରି ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କର ଚେତନାର କ୍ଷେତ୍ର ହୋଇ
ନୁହଁନ୍ତି ସେ ମୂର୍ତ୍ତି ନୁହଁନ୍ତି ବି ଧର୍ମ ସତ୍ତା ତାଙ୍କ ଚିରସ୍ଥାୟୀ ॥
ଆକାଶରେ ଥିବା ଚନ୍ଦ୍ର ସୂର୍ଯ୍ୟ ପରି ପୁରୁଷୋତ୍ତମ ଚେତନା
ସୃଷ୍ଟି,ସ୍ଥିତି ଅବା ପ୍ରଳୟର ସଙ୍ଗେ ନାହିଁ ସମ୍ପର୍କ ଭାବନା ॥
ପ୍ରଳୟ ବି ହେବ ମହାସର୍ଗ ହେବ ଚାଲିଥିବ ଜନ୍ମଚକ୍ର
ଏହି ଶ୍ରୀକ୍ଷେତ୍ରରେ ସଦା ରହିଥିବେ ମହାପ୍ରଭୁ ଜଗନ୍ନାଥ ॥