ରଚନା - ସଲିଳ କୁମାର ସ୍ଵାଇଁ, ସହକାରୀ ଶିକ୍ଷକ
ସୁନ୍ଦରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାଙ୍ଗୀ, ଖୋରଧା

ବ୍ଲକ ସ୍ତରୀୟ ଶିଶୁ ମହୋସ୍ଚବ ସୁରଭି – ୨୦୧୬-୧୭ ଅବସରରେ ଲିଖିତ
(ଦଣ୍ଡଯାତ୍ରା ଶୈଳୀରେ ଆବୃତ୍ତି)

ପୁରୁଷ –
ନାଗରୀ ଲୋ ମୋର ଜହ୍ନ ଉଦିଆ
କାଇଁ କରୁ ମୁହଁ ଫଣ ଫଣିଆ
କ’ଅଣ ହୋଇଛି ଆଜି
ଆଲୋ କ’ଅଣ ହୋଇଛି ଆଜି ?
ଭାଙ୍ଗି ଯାଇଥିଲେ ଗଢି ଆଣିବି
ହଜିଥିଲେ ଦେବି ଖୋଜି ।

ନାରୀ –
ଅପାଠୁଆ ମୋର ରସନାଗର
ତୁ ସାତ ହେଲେ ମୁଁ ସତର
କେବେଠୁ ହେଲେଣି ହେଜି
ଆରେ କେବେଠୁ ହେଲେଣି ହେଜି
ଇସିକୁଲୁ କେବେ ଯିବ ଆମ କୁନା
ସାଆତ ପୁରିଲା ଆଜି ।



ପୁରୁଷ –
କି କହିବି ତତେ ଆଲୋ ଫୁଲେଇ
ନାଆଁ ଲେଖିବାକୁ ପଇସା କାହିଁ ?
କେମିତି କିଣିବା ବହି
ଆଲୋ କେମିତି କିଣିବା ବହି ?
କୁନା ପାଠପଢା ଚୁଲିକି ଯାଉ
ଗାଈ ଜଗା ଶିଖୁ ଯାଇ ।



ନାରୀ –
ଦେଖା ହୋଇଥିଲେ ସଲିଳ ସାରେ
ପାଠପଢା କଥା ଯେବେ ପଚାରେ
କହିଲେ ବୁଝେଇ ସବୁ
ଆରେ କହିଲେ ବୁଝେଇ ସବୁ
ନାମଲେଖା ବହି ପତର ଜାମା
ଇସିକୁଲେ ମିଳେ ସବୁ ।



ପୁରୁଷ –
ଆଲୋ ମୋ ସୁନ୍ଦରୀ ନଟନାଗରୀ
ସେଥିପାଇଁ ତୋତେ ଡାକେ ଚତୁରୀ
କହିଲେ କ’ଅଣ କହ
ଆଲୋ କହିଲେ କ’ଅଣ କହ ?
ମିଛ ସତ ଯଦି କହୁଥିବୁ ଗୋରୀ
ଭାଙ୍ଗିଦେବି ତୋର ମୁହଁ ।



ନାରୀ –
ଶିକ୍ଷା ଅଧିକାର ଅଧିନିୟମ
ସରକାରଙ୍କର ନୂଆ ଆଇନ
କେବେଠୁ ହେଲାଣି ଲାଗୁ
ଆରେ କେବେଠୁ ହେଲାଣି ଲାଗୁ
ବହି-ଜାମା ସାଙ୍ଗେ ମଧ୍ୟାନ୍ନ ଭୋଜନ
ମାଗଣା ମିଳଇ ସବୁ ।



ପୁରୁଷ –
ଖଣ୍ଡାନାକୀ ମୋର ଚନ୍ଦ୍ରବଦନୀ
ମୋ’ଠାରୁ ଚାଲାକ ମୋର ଘରଣୀ
କା’ଆଲି ଇସ୍କୁଲ ଯିବା
ଆଲୋ କା’ଆଲି ଇସ୍କୁଲ ଯିବା
ପ୍ରିୟମ୍ବଦା ଦିଦି ସେଠାରେ ଥିବେ
କୁନା ନାଆଁ ଲେଖିଦେବା ।

ଉଭୟ –
ଶୁଣୁଥାଅ ମୋର ଭାଇ ଭଉଣୀ
ପଢିବାକୁ ପାଠ ହେଳା କରନି
ଶିକ୍ଷା ଆମ ଅଧିକାର
ଆଗୋ ଶିକ୍ଷା ଆମ ଅଧିକାର
ଛଅରୁ ଚଉଦ ଯେତେ ଟୁନାଟୁନୀ
ପାଠ ପଢି ଦେଶ ଗଢ ।