ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଖୋର୍ଦ୍ଧା (ତଥ୍ୟ ଆଧାରରେ ଲିଖିତ)


୨୦୦୩ ମସିହା ଫେବୃଆରୀ ୧ ତାରିଖ.. ମହାକାଶ ଇତିହାସରେ ସୃଷ୍ଟି ହୋଇଗଲା ଏକ କଳଙ୍କିତ ଅଧ୍ୟାୟ । ହଠାତ ଚହଳ ପଡିଗଲା ମହାକାଶ ଯାନ କଲମ୍ବିଆ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରୁ କରୁ ଧ୍ଵଂସ ହୋଇଗଲା ଆଉ ସାତ ଜଣ ମହାକାଶଚାରୀଙ୍କ ସମେତ କଳ୍ପନା ଚୱାଲା ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଲେ । ସେଦିନର ଏହି ଘଟଣା ସମଗ୍ର ପୃଥିବୀବାସୀଙ୍କ ହୃଦୟରେ ଖୁବ ଭୟଙ୍କର ଆଘାତ ପହଞ୍ଚେଇଥିଲା । ଏବଂ ନାସା ମହାକାଶ ଗବେଷଣା ସଂସ୍ଥା ଦୀର୍ଘ ଦୁଇ ବର୍ଷ ପାଇଁ ମହାକାଶ ଯାତ୍ରାକୁ ସ୍ଥଗିତ ରଖିଲେ । ଅନୁସନ୍ଧାନରୁ ଜଣାପଡିଲା, କଲମ୍ବିଆ ମହାକାଶ ଯାନର ପାଶ୍ଚାତ ଭାଗର ଏକ ଅଂଶରେ କିଛି ଯାନ୍ତ୍ରିକ ଅସୁବିଧା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । କଲମ୍ବିଆ ଯାନଟି ତାର ମିଶନ ଏସ॰ଟି॰ଏସ – ୧୦୭ ର ଶୁଭାରମ୍ଭ କରି ପୃଥିବୀରୁ ମହାକାଶ ଅଭିମୁଖେ ୨୦୦୩ ମସିହା ଜାନୁଆରୀ ୧୬ ତାରିଖରେ ଯାତ୍ରା ଆରମ୍ଭ କରିଥିଲା । ମହାକାଶର ବିସ୍ତ୍ରୁତ ତଥ୍ୟ ହାସଲ ନିମନ୍ତେ ପ୍ରେରିତ ମହାକାଶ ଯାନ କଲମ୍ବିଆରେ ସାତ ଜଣ ମହାକାଶଚାରୀ ଥିଲେ । ଏମାନଙ୍କ ମଧ୍ୟରେ ଥିଲେ ରିକ ହଜବ୍ୟାଣ୍ଡ (କମାଣ୍ଡର) ମାଇକେଲ ଆଣ୍ଡରସନ (ପେ-ଲୋଡ କମାଣ୍ଡର) ଉଇଲିଯମ ମ୍ୟାକକୁଲ (ପାଇଲଟ) ଇଲାନ ରୋମାନ (ପେ-ଲୋଡ ବିଶେଷାଜ୍ଞ) ଏବଂ କଳ୍ପନା ଚୱାଲା, ଡେଭିଡ ବ୍ରାଉନ, ଓ ଲୁଆରେଲ କ୍ଲାର୍କ (ଏହି ତିନି ଜଣ ଥିଲେ ମିଶନ ବିଶେଷଜ୍ଞ) । ଏହି ସାତ ଜଣଙ୍କ ମଧ୍ୟରୁ କଲ୍ପନା ଚୱାଲା ଥିଲେ ଏହି ଯାତ୍ରାର ମୁଖ୍ୟ ବିଶେଷଜ୍ଞ । ମହାକାଶରେ ଅବତରଣର ୨୪ ଘଣ୍ଟା ମଧ୍ୟରେ ଦୁଇ ଗୋଟି ପର୍ଯ୍ୟାୟରେ ସେମାନେ ଜୀବ ବିଜ୍ଞାନ, ପଦାର୍ଥ ବିଜ୍ଞାନ ସମେତ ମହାକାଶର ଅନ୍ୟାନ୍ୟ ବିଷୟ ଉପରେ ୮୦ ଗୋଟି ପରୀକ୍ଷା ନିରୀକ୍ଷା କରିସାରିଥିଲେ ।


ମହାକାଶରେ ୧୬ ଦିନର ରହଣି ପରେ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଯାନଟିର ଯାନ୍ତ୍ରିକ ତ୍ରୁଟି ବିଷୟରେ ଜଣାପଡିଥିଲା । ଅର୍ବିଟାଲ କ୍ୟାମେରା ସୂତ୍ରରୁ ଜଣାପଡିଥିଲା ଯାନଟିର ବାମଭାଗ ପକ୍ଷଦେଶରେ କ୍ଷତ ସୃଷ୍ଟି ହୋଇଥିବା ବିଷୟରେ । ଅନେକ ଚେଷ୍ଟା ସ୍ଵତେ ବିଶେଷଜ୍ଞ ମାନେ ଏହି ଅସୁବିଧାକୁ ସୁଧାରିବାରେ ବିଫଳ ହୋଇଥିଲେ । ୨୦୦୩ ମସିହା ଫେବ୍ରୁଆରି ୧ ତାରିଖ ଦିନ ସକାଳ ୯ ଘଣ୍ଟା ସମୟରେ କେନେଡି ମହାକାଶ କେନ୍ଦ୍ରରେ ଅବତରଣ କରିବାକୁ ଥିବା ଏହି ଯାନଟି ନିର୍ଦ୍ଧାରିତ ସମୟର କିଛି ସମୟ ପୂର୍ବରୁ ମିଶନର କଣ୍ଟ୍ରୋଲ ବାହାରକୁ ଚାଲିଯାଇଥିଲା । ସ୍ପେସକ୍ରାଫ୍ଟ ଯୋଗାଯୋଗ ଅଧିକାରୀ ମାନେ କଲମ୍ବିଆ ଯାନ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଆମେରିକାର ଡଲାସ ସହରର ୬୧୧୭୦ ମିଟର ଉଚ୍ଚତାରେ ଅସହାୟ ଭାବେ କଲମ୍ବିଆ ଯାନଟି ଘୂରିବୁଲିବା ସହ ଅବତରଣ ନିମନ୍ତେ ୧୮ ଥର ଚେଷ୍ଟା କରି ବିଫଳ ହୋଇଥିଲା ଏବଂ ନିମିଷକ ମଧ୍ୟରେ ସଂପୂର୍ଣ୍ଣ ରୂପେ ଧ୍ଵଂସ ପାଇଯାଇଥିଲା । ସେତେବେଳକୁ ସମୟ ସକାଳ ୮ ଘଣ୍ଟା ୫୯ ମିନିଟ ୩୨ ସେକେଣ୍ଡ.. କଲମ୍ବିଆ ମହାକାଶ ଯାନଟି ସମ୍ପୂର୍ଣ ରୂପେ ଧ୍ଵଂସ ପାଇବା ସହିତ ସାତ ଜଣ ମହାକାଶଚାରୀ ମଧ୍ୟ ପ୍ରାଣ ହରାଇଥିଲେ । ପୃଥିବୀ ବାସୀଙ୍କ ହୃଦୟରେ ଖେଳିଯାଇଥିଲା ଶୋକର ଛାୟା, ସ୍ତବ୍ଧ ହୋଇଯାଇଥିଲେ ସମଗ୍ର ପୃଥିବୀବାସୀ ଆଉ ଚିର ଦିନ ପାଇଁ ଅନାଲୋଚିତ ହୋଇ ରହିଗଲା ମହାକାଶର ଅନେକ ଆବିଷ୍କୃତ ତଥ୍ୟ ।