ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଜଳସେଚନ ବିଭାଜନ, ଖୋର୍ଦ୍ଧା

ଆମ ଶ୍ରୀମନ୍ଦିର ପୃଥିବୀ ବିଖ୍ୟାତ
ବିରାଜି ଅଛନ୍ତି ପ୍ରଭୁ ଜଗନ୍ନାଥ ॥
ସେହି ମନ୍ଦିରର କ୍ଷେତ୍ରଫଳ ଜାଣ
ସାଢେ ଦଶ ଏକରର ପରିମାଣ ॥
ଦୁଇଶ ଚଉଦ ଫୁଟ ଆଠ ଇଞ୍ଚ
ଆମ ଶ୍ରୀମନ୍ଦିର ରାସ୍ତା ଠାରୁ ଉଚ୍ଚ ॥



ଅରୁଣ ସ୍ତମ୍ଭଟି ଆଗେ ବିଦ୍ୟମାନ
ତେତିଶି ଫୁଟ ତା ଉଚ୍ଚତାଟି ଜାଣ ॥
ପ୍ରସ୍ଥ ଛଅ ଫୁଟ ଦୈର୍ଘ୍ୟ ଯେ ସତୁରୀ
ଶ୍ରୀମନ୍ଦିରର ସେ ବଢାଉଛି ଶିରୀ ॥
ଉଚ୍ଚତା ଯାହାର ମାତ୍ର ଆଠ ଇଞ୍ଚ
ସେହି ପରା ପୂଣ୍ୟ ବାଇଶି ପାହାଚ ॥



ଛଅଶ ପଚାଶ ଫୁଟ ଦୈର୍ଘ୍ୟ ଯାର
ଛଶ ଚଉରାଳିଶ ପ୍ରସ୍ଥ ଯେ ତାହାର ॥
କୋଡିଏ ଫୁଟର ଉଚ୍ଚତାରେ ରହି
ମନ୍ଦିର ପାଚେରୀ ମେଘନାଦ ସେହି ॥
ଚାରିଶ ଫୁଟର ଦୈର୍ଘ୍ୟରେ ସୀମିତ
ଦୁଇଶହ ଅଠସ୍ତରୀ ତାର ପ୍ରସ୍ଥ ॥



କୋଡିଏ ଫୁଟର ଉଚ୍ଚତା ଯାହାର
କୂର୍ମ ପାଚେରୀ ସେ ଆମ ମନ୍ଦିରର ॥
ଅଠତିରିଶର ଦୈର୍ଘ୍ୟ ପ୍ରସ୍ଥ ଜାଣ
ମୁକ୍ତି ମଣ୍ଡପ ସେ ଅଟେ ମୁକ୍ତି ସ୍ଥାନ ॥
ଫୁଟର ମାପରେ ମପା ଯାଇଅଛି
ଷୋଳଟି ଖମ୍ବରେ ଶୋଭା ପାଉଅଛି ॥
ତେରଫୁଟ ଆଉ ଛଅଇଞ୍ଚ ଉଚ୍ଚ
ଶ୍ରୀମନ୍ଦିର ଅଗ୍ରେ ଶୋଭା ନୀଳଚକ୍ର ॥