ପ୍ରମୋଦ ନାୟକ, ମଧୁପୁର, ଭଦ୍ରକ

କହି ପାରୁନାହୁଁ କଥା ପଦେ ବୋଲି
ପାଉଛୁ ଯନ୍ତ୍ରଣା କେତେ
ତୁମଭଳି କଥା କହିପାରୁଥିଲେ
ଜବାବ ଦିଅନ୍ତୁ ଯେତେ ॥

ଆମ ଦୀର୍ଘଶ୍ଵାସ ଆମର ବିଶ୍ଵାସ
ତମେ ପାରୁନାହଁ ଜାଣି
କେମିତି ଜାଣିବ ଛଳନା ମଣିଷ
ହୃଦଟା ପଥର ପୁଣି ॥


ବଣ, ବିଲ, ନଈ, ଆକାଶ ଏ ଭୁଇଁ
ଥିଲା ଆମ ବାସସ୍ଥାନ
ତାକୁ ସଫାକରି ନିପାତ କରିଲ
ଆମ ସୃଷ୍ଟି ଯେତେ ପୁଣ ॥

ପଞ୍ଜୁରୀରେ ବାନ୍ଧି ଯେତେ ଖୁଆଇଲେ
ବୁଝେନାହିଁ ଆମ ମନ
ମୁକ୍ତ ଆକାଶରେ ମୁକ୍ତ ବିହଙ୍ଗ
କରନାହିଁ ହୀନିମାନ ॥


ସ୍ରଷ୍ଟାର ଏଇ ସୁନ୍ଦର ପୃଥିରେ
ସମସ୍ତେ ବଞ୍ଚିବା ହକ
ଶ୍ରେଷ୍ଠ ଜାତି ବୋଲି ଏତେ ଅହଂକାର
ମଣିଷ ପଣିଆ ଧିକ ॥