ଇଂ ଦୀପ୍ତି ରଞ୍ଜନ ପଣ୍ଡା, ଆଇଗିଣିଆ, ଭୁବନେଶ୍ଵର

ଆମ ଶ୍ରୀମନ୍ଦିରେ ମହାପ୍ରଭୁଙ୍କର କେତେ ଯେ ପର୍ବପର୍ବାଣୀ
ତନ୍ମଧ୍ୟରୁ ମୁଖ୍ୟ ଦ୍ୱାଦଶ ଯାତରା କେବେତ ଭୁଲି ହେବନି ।।୧।।
ବୈଶାଖର ଶୁକ୍ଳ ତୃତୀୟା ତିଥିରେ ଅକ୍ଷୟତୃତୀୟା ଯାତ୍ରା
ଚନ୍ଦନ ପ୍ରଲେପ ଠାକୁରଙ୍କ ଦେହେ ଚାପ ଭ୍ରମଣରେ ଇଚ୍ଛା ।।୨।।
ଜ୍ୟେଷ୍ଠ ମାସର ଶୁକୁଳ ପୂର୍ଣ୍ଣିମା ସ୍ନାନଯାତ୍ରା ନାମେ ଖ୍ୟାତ
ଜଗନ୍ନାଥଙ୍କର ଏହା ଜନ୍ମଦିନ ଗଣେଶ ବେଶେ ପୂଜିତ ।।୩।।
ଆଷାଢର ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରଭୁଙ୍କ ଗୁଣ୍ଡିଚାଯାତ
ସାରା ପୃଥିବୀରେ ରଥଯାତ୍ରା ନାମେ ହୋଇଛି ଏହା ବିଖ୍ୟାତ ।।୪।।
ପ୍ରଭୁଙ୍କ ଶୟନ ଯାତ୍ରା ଆଷାଢର ଶୁକ୍ଳ ଏକାଦଶୀ ଦିନ
ଶୟନ ଠାକୁର ପୂଜା ପାଇଥାନ୍ତି ସାରି ଶୟନ ବିଧାନ ।।୫।।
ଦକ୍ଷିଣାୟନର ଯାତ୍ରା ପ୍ରଭୁଙ୍କର ଶ୍ରାବଣ ସଂକ୍ରାନ୍ତି ଦିନ
ଦକ୍ଷିଣଗାମୀର ସୂର୍ଯ୍ୟ ରୂପେ ପ୍ରଭୁ ପୂଜା ହୋଇଥାନ୍ତି ଜାଣ ।।୬।।
ଭଦୁଅ ମାସର ଶୁକ୍ଳ ଏକାଦଶୀ ପାର୍ଶ୍ଵ ବଦଳର ଦିନ
ଶୟନ ଠାକୁର ଏ ଦିନେ କରନ୍ତି ପାର୍ଶ୍ଵର ପରିବର୍ତ୍ତନ ।।୭।।
ଉତ୍ଥାପନର ଯାତ୍ରା ହୋଇଥାଏ ମହା କାର୍ତ୍ତିକ ମାସରେ
ଶୁକ୍ଳ ଏକାଦଶୀ ଶୟନ ଠାକୁର ବିଜେ ଭଣ୍ଡାରର ଘରେ ।।୮।।
ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ
ଠାକୁରମାନଙ୍କ ଘୋଡଲାଗି ଯୋଗୁ ଓଢଣ ଷଷ୍ଠୀ ନାମିତ ।।୯।।
ମକର ସଂକ୍ରାନ୍ତି ଯାତ୍ରା ଗଣାହୁଏ ଉତ୍ତରାୟଣ ନାମରେ
ମକର ଚାଉଳ ଖାଇଥାନ୍ତି ପ୍ରଭୁ ପୂଜା ପଞ୍ଚୋଉପଚାରେ ।।୧୦।।
ମହାପ୍ରଭୁଙ୍କର ପୂଷ୍ୟାଭିଷେକର ନୀତି ହୁଏ ଯେଉଁଦିନ
ପଉଷ ମାସର ପୂର୍ଣ୍ଣିମା ତିଥିଟି ଅଟେ ସେହି ପୂଣ୍ୟଦିନ ।।୧୧।।
ଫାଲଗୁନ ଶୁକ୍ଳ ପୂର୍ଣ୍ଣିମାଯେ ଖ୍ୟାତ ଦୋଳପୁର୍ଣ୍ଣିମା ନାମରେ
ଠାକୁରମାନଙ୍କୁ ଫଗୁ ଲାଗି ହୁଏ ଷୋଡଶ ଉପଚାରରେ ।।୧୨।।
ଚଇତ ମାସର ଶୁକ୍ଲ ଚତୁର୍ଦ୍ଦଶୀ ଦମନକ ପୂଜା ହୁଏ
ଠାକୁରମାନଙ୍କୁ ବିଧିବିଧାନରେ ଦୟଣାକୁ ଲଗାଯାଏ ।।୧୩।।