ସଲିଳ କୁମାର ସ୍ଵାଇଁ
ମଙ୍ଗଳାଯୋଡି, ଖୋରଧା

ଜନମଦିନରେ ଆଜିର ମଣିଷ
ଫୁଙ୍କୁଚି ମହମବତୀ
ମରଣ କାଳରେ କେଣ୍ଡଲ ଜାଳିବା
ବଡ ବିଚିତର ରୀତି ।

ବିବାହ ବେଳରେ ବାରାତି ଆଗରେ
ମରଣ ପଛରେ ଜ୍ଞାତି
ସୁଖବେଳେ ସବୁ ନସର ପସର
ଦୁଃଖେ ଦେଖା ନ ଦିଅନ୍ତି ।



ପୁଅଟିଏ ପାଇଁ ଆମ ଓଡିଆଣୀ
ଜାଳଇ ଜାଗର ବତୀ
କନିଆଁ ଭ୍ରୁଣକୁ କମ୍ପୁଟରେ ଦେଖି
ଗରଭ ନଷ୍ଟ କରନ୍ତି ।

ଟଙ୍କିଆ ଚାଉଳ ପାଇଁକି ଭୋଅଟ
ବିକଇ ଓଡିଆ ଜାତି
ନିର୍ଲଜ ଭୋଟର କୋଡିଏ ଟଙ୍କାରେ
ଲବଣ କିଣୁଛି ନିତି ।



ଆମ ଗାଆଁ ନଟ ଦୁଆର ଦୁଆର
ନିତି ଯାଏ ଦୁଧ ବିକି
ମଦୁଆ ମୋଚିଆ ମଦ ଟୋପେ ପାଇଁ
ଛେତକୁ ବସିଛି ଟାକି ।

ମଦ ପିଇବାଟା ରାଜକୀୟ ଥାଟ
ପିଇବା ଆସିକାଫଟି
ସରଫ ଗୋଳିଆ ଓମ୍ଫେଡ ପିଇଲେ
ହୋଇବ ଜୀବନ ମାଟି ।